'ଗୀତା ପ୍ରେସ୍'କୁ ମିଳିବ ଗାନ୍ଧୀ ଶାନ୍ତି ପୁରସ୍କାର, ହେଲେ ୧ କୋଟି ପୁରସ୍କାର ରାଶି ନେବନି ସଂସ୍ଥା

ସବୁଠୁ ବଡ ତଥା ପ୍ରତିଷ୍ଠିତ ଧାର୍ମିକ ପୁସ୍ତକର ପ୍ରକାଶକ 'ଗୀତା ପ୍ରେସ୍'କୁ ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଦେବାକୁ ଘୋଷଣା ହୋଇଥିଲା । ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ହୋଇଥିଲା । ଗାନ୍ଧି ଶାନ୍ତି ପୁରସ୍କାର ନିମନ୍ତେ ଘୋଷଣା ହେବା ପରଠୁ ଆରମ୍ଭ ହୋଇଛି ବିବାଦ । କେନ୍ଦ୍ର ସରକାର ଜାଣିଶୁଣି ହିନ୍ଦୁତ୍ୱକୁ ପ୍ରୋତ୍ସାହିତ କରି ଗୀତା ପ୍ରେସ୍ ନାମ ଘୋଷଣା କରିଥିବା କହି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ।
ଇତି ମଧ୍ୟରେ ରାଜନୀତି ତେଜୁଥିବା ବେଳେ ଗୀତା ପ୍ରେସ୍ ସମ୍ମାନ ଗ୍ରହଣ କରିବାକୁ ରାଜି ଥିବା ବେଳେ କୋଟିଏ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିବାକୁ ମନା କରି ଦେଇଛି।
ଗୋରଖପୁର ଗୀତା ପ୍ରେସ ପ୍ରବନ୍ଧକ ଲାଲମଣୀ ତିୱାରୀ କହିଛନ୍ତି, 'ଆମେ କୌଣସି ପ୍ରକାର ଆର୍ଥିକ ସହାୟତା କିମ୍ବା ପୁରସ୍କାର ଗ୍ରହଣ କରୁନାହିଁ । ଏଥିପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ଦିଆଯାଉଥିବା ଆର୍ଥିକ ରାଶିକୁ ମଧ୍ୟ ଗ୍ରହଣ କରିବୁ ନାହିଁ । ଏହାପୂର୍ବରୁ ମଧ୍ୟ ଗୀତା ପ୍ରେସକୁ ଅନେକ ପୁରସ୍କାର ଦିଆଯାଇଥିଲେ ବି ଆମେ ଗ୍ରହଣ କରିନୁ । ଯଦିଓ ଏଥର ପରମ୍ପରା ବାହାରେ ଏହି ସମ୍ମାନକୁ ସ୍ୱୀକାର କରିବୁ କିନ୍ତୁ ଏଥିରେ ମିଳିବାକୁ ଥିବା ୧ କୋଟି ଟଙ୍କାର ଆର୍ଥିକ ରାଶିକୁ ଆମେ ଗ୍ରହଣ କରିବୁ ନାହିଁ ।
ସୂଚନା ମୁତାବକ, ରବିବାର ୨୦୨୧ ବର୍ଷ ପାଇଁ ଗୀତା ପ୍ରେସକୁ ' ଗାନ୍ଧୀ ଶାନ୍ତି ପୁରସ୍କାର ଦିଆଯିବାକୁ ଘୋଷଣା କରାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା । ହେଲେ ଏହା ଉପରେ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି ବିରୋଧ କରିବାରୁ ରାଜନୀତି ସରଗରମ ହୋଇଥିଲା ।
Powered by Froala Editor