ସଫ୍ଟ ଡ୍ରିଙ୍କ୍ ଦେଇ ଡାକୁ ହସିନାକୁ ଧରିଲା ପୁଲିସ
ସାଢେ ୮ କୋଟି ଲୁଟ୍ର ମାଷ୍ଟର ମାଇଣ୍ଡଙ୍କୁ ଧରାପକେଇ ଦେଲା ୧୦ଟଙ୍କିଆ ମୃଦୁ ପାନୀୟ। ଦୀର୍ଘ ଦିନ ହେବ ଯେଉଁ ଡାକୁ ହସିନାଙ୍କୁ ଧରିବା ପଞ୍ଜାବ ପୁଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ତାଙ୍କୁ ଧରିବାରେ ବହୁତ ସାହାଯ୍ୟ କଲା ଏହି ୧୦ ଟଙ୍କିଆ ସଫ୍ଟ ଡ୍ରିଙ୍କ୍ସ ।
ଉତ୍ତରାଖଣ୍ଡ ଚମୌଲୀର ହେମକୁଣ୍ଡ ସାହିବରୁ ମନଦୀପ କୌର ଓରଫ ଡାକୁ ହସିନାକୁ ଗିରଫ କରିଛି ପଞ୍ଜାବ ପୁଲିସ୍। ଜୁନ୍ ୧୦ ତାରିଖରେ ଲୁଧିଆନାର ଏକ କ୍ୟାସ ମ୍ୟାନେଜମେଣ୍ଟ ଫାର୍ମରୁ ୮କୋଟି ୪୯ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଲୁଟର ମାଷ୍ଟରମାଇଣ୍ଡ ଥିଲେ ମନଦୀପ କୌର ଓ ତାଙ୍କ ସ୍ବାମୀ ଯଶବିନ୍ଦର କୌର। ଲୁଟ୍ ସଫଳ ହେବା ପରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବାକୁ ହେମକୁଣ୍ଡ ସାହିବ ଯାଇଥିଲେ ମନଦୀପ ଓ ଯଶବିନ୍ଦର।
ଏହି ଘଟଣାରେ ପୁଲିସ୍ ପୂର୍ବରୁ ହସିନାଙ୍କ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲେ ବି ତାଙ୍କ ପତ୍ତା ପାଇ ପାରୁ ନ ଥିଲା। ଏଥିନିମନ୍ତେ ପଞ୍ଜାବ ପୁଲିସ୍ ‘ଚାଲ ରାଣି ମହୁମାଛି ଧରିବା’ ନିମନ୍ତେ ଅପରେସନ ଆରମ୍ଭ କରିଥିଲା। ଉଭୟ ହେମକୁଣ୍ଡ ସାହିବରେ ଥିବା ନେଇ ପୋଲିସକୁ ଖବର ମିଳିଥିଲେ ବି ଶ୍ରଦ୍ଧାଳୁଙ୍କ ଭିଡ଼ରେ ଚିହ୍ନଟ କରିବା କଷ୍ଟକର ଥିଲା। ତେଣୁ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ମାଗଣା ମୃଦୁ ପାନୀୟ ବଣ୍ଟନ କରିଥିଲା ପୋଲିସ।
ଚିହ୍ନା ନପଡ଼ିବା ପାଇଁ ଦମ୍ପତି ମୁହଁରେ କପଡ଼ା ବାନ୍ଧିଥିଲେ । ତେବେ ମୃଦୁ ପାନୀୟ ପିଇବା ପାଇଁ ମୁହଁରୁ କପଡ଼ା ହଟାଇବା ପରେ ପୋଲିସ ସେମାନଙ୍କୁ ଚିହ୍ନଟ କରିଥିଲା । ତେବେ ସଙ୍ଗେ ସଙ୍ଗେ ଗିରଫ ନକରି କିଛି ବାଟ ଗୋଡ଼ାଇବା ପରେ ଧରିଥିଲା। ମନଦୀପଙ୍କ ଗାଡ଼ିରୁ ୧୨ଲକ୍ଷ ଓ ଯଶବିନ୍ଦରଙ୍କ ବରନାଲା ଘରୁ ୯ଲକ୍ଷ ଟଙ୍କା ଜବତ କରାଯାଇଛି ।
Powered by Froala Editor