ଅବଦୁଲ କଲାମ ଦ୍ୱୀପରୁ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ
ଓଡ଼ିଶା ଉପକୂଳରେ ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବୁଧବାର ସନ୍ଧ୍ୟା ୭.୩୦ରେ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ସମୟରେ ସମସ୍ତ ମାନଦଣ୍ଡ ପୂରଣ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଡିଆରଡିଓର ବୈଜ୍ଞାନିକ ଏବଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ଅଧିକାରୀମାନେ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ଦେଖିଥିଲେ । ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ।
କ୍ଷେପଣାସ୍ତ୍ରର ସମଗ୍ର ଯାତ୍ରାର ତଥ୍ୟ ସଂଗ୍ରହ କରିବା ପାଇଁ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଭଳି ଉପକରଣ ସମେତ ଦୁଇଟି ଜାହାଜକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ବିକାଶ ପର୍ଯ୍ୟାୟରେ ଅଗ୍ନି ପ୍ରାଇମର ତିନୋଟି ସଫଳ ପରୀକ୍ଷଣ ପରେ ଏହି କ୍ଷେପଣାସ୍ତ୍ରର ଏହା ପ୍ରଥମ ରାତ୍ରି ପରୀକ୍ଷଣ ଥିଲା, ଯାହାକି ଏହାର ସଠିକତା ଏବଂ ବିଶ୍ୱସନୀୟତା ଉପରେ ମୋହର ଲଗାଇଥିଲା ।
Powered by Froala Editor