ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ
ସୋନପୁର: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି ।
ସୁବଳୟା ପୋଲିସ ପକ୍ଷରୁ ମିଳିଥିବା ସୁଚନା ମତେ ତିଲେଇମାଲ ଗ୍ରାମରେ ସୁବାସ ପଧାନ ଓ ରତ୍ନାକର ପଧାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଉଭୟ ପକ୍ଷରୁ ସୁବଳୟା ଥାନାରେ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲାର ତଦନ୍ତ କରିବାକୁ ସୁବଳୟା ଥାନାର ଏଏସଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ବିଭାର ଉକ୍ତ ଗ୍ରାମକୁ ଯାଇଥିଲେ । ଉଭୟ ପରିବାରକୁ ଡାକି ତଦନ୍ତ କରୁଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାସ କରି ଗ୍ରାମବସୀ ଏଏସଆଇ ମେହେରଙ୍କୁ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି ।
ଖବରପାଇ ପୋଲିସ ଯାଇ ଏଏସଆଇ ମେହେରଙ୍କୁ ଉଦ୍ଧାର କରିଥିଲା । ଏନେଇ ସୁବଳୟା ଥାନାରେ କର୍ତ୍ତବ୍ୟରତ ଜଣେ ପୋଲିସ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ଗ୍ରାମର ନେପୁର ପଧାନ,ମହାଦେବ ସାହୁ,ପ୍ରଫୁଲ୍ଲ ସାହୁ,ଦୁର୍ଗାପ୍ରସାଦ ପଧାନ,ରାଘବ ସାହୁ,ବାଦଲ ପଧାନ,ବେଲାରସେନ ହାତୀ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।
Powered by Froala Editor