ମୌସୁମୀ କେରଳ ପହଞ୍ଚିବାରେ ବାଧା ସୃଷ୍ଟି କରୁଛି ବାତ୍ୟା
ଭୁବନେଶ୍ୱର : ମୌସୁମୀ ଆସିବାର ବାଟ ଉଗାଳିଛି ବାତ୍ୟା ‘ବିପର୍ୟ୍ୟୟ’। ଆରବସାଗରରେ ବର୍ତ୍ତମାନ ଏକ ଅବପାତ ରହିଛି। ଏହା ବାତ୍ୟା ‘ବିପର୍ୟ୍ୟୟ’ ରୂପ ନେବ ବୋଲି ଆକଳନ କରାଯାଇଛି। ଏହି ସାମ୍ଭାବ୍ୟ ବାତ୍ୟା ଯୋଗୁଁ ସେଠାରେ ମେଘଖଣ୍ଡ ଏକାଠି ରହୁଛି ଓ ମୌସୁମୀ କେରଳ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି।
ସେହିପରି ମୌସୁମୀ ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସ୍ୱାଭାବିକ ଭାବେ ଜୁନ୍ ୧ରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଜୁନ୍ ୯ ପୂର୍ବରୁ ଏହି ସମ୍ଭାବନା କମ୍ ରହିଛି। ମୌସୁମୀ କେରଳ ଛୁଇଁଲେ ଏହି ସମୟରେ ନିର୍ଦ୍ଦିଷ୍ଟ କିଛି ମାନଦଣ୍ଡ ପୂରଣ ହୋଇଥାଏ। ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାତାର ଦୁଇ ଦିନ ଅତିକମ୍ରେ ୨.୫ ମିମି ବର୍ଷା ନ ହେବା ଓ ‘ଆଉଟ ଗୋଇଙ୍ଗ ଲଙ୍ଗ୍ୱେଭ୍ ରେଡିଏସନ୍’ ଅଧିକ ରହୁଛି। ଯାହାକି ଆସନ୍ତା ୩ ଦିନ ପୂର୍ବରୁ ଅନୁକୂଳ ହେବାର ସମ୍ଭାବନା କମ୍ ରହିଛି।
ଅନ୍ୟପଟେ ଆରବ ସାଗରରେ ‘ବିପର୍ୟ୍ୟୟ’ ବାତ୍ୟା ଦେଶର ପଶ୍ଚିମ ଉପକୂଳକୁ ଯିବାର ସମ୍ଭାବନା ଥିବାରୁ ୩ ଦିନ ପରେ ମୌସୁମୀ ବର୍ଷା ଆରମ୍ଭ ହେଲେ ମଧ୍ୟ ତାହା ଦୁର୍ବଳ ରହିବ। ଏହାହିତ ବଙ୍ଗୋପସାଗରୀୟ ଶାଖା ସକ୍ରିୟା ହେବାରେ ମଧ୍ୟ ବାତ୍ୟାର ପ୍ରତିକୂଳ ପ୍ରଭାବ ପଡ଼ିବ। ବର୍ତ୍ତମାନର ମୌସୁମୀରେ ୪ଟି ଗୁଣ ପରିଲକ୍ଷିତ ହେଉଛି। ମନ୍ଥର ଅଗ୍ରଗତି, ବଳମ୍ବିତ ପ୍ରବେଶ, ଦୁର୍ବଳ ପ୍ରାରମ୍ଭ ଓ ନିଅଣ୍ଟିଆ ବର୍ଷା ଆଦି ଦିଗକୁ ଇଙ୍ଗିତ କରୁଛି। ବଙ୍ଗୋପସାଗରରେ ପୂର୍ବ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ (ମିଆଁମାର, ଥାଇଲାଣ୍ଡ, ବଙ୍ଗଲାଦେଶ ଓ ଉତ୍ତର-ପୂର୍ବ ଭାରତ) ଜୁନ୍ ତୃତୀୟ ସପ୍ତାହରେ ଭାରି ବର୍ଷା ହେବାର ସମ୍ଭବନା ରହିଛି। ଓଡ଼ିଶାରେ ରଜ ସମୟରେ ବିକ୍ଷିପ୍ତ ହାଲୁକା ବର୍ଷା ଏବଂ ରଜ ପରେ ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। କୌଣସି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ନ ହେଲେ ଆସନ୍ତା ୧୮ ପର୍ୟ୍ୟନ୍ତ ରାଜ୍ୟକୁ ମୌସୁମୀ ସମ୍ଭାବନା କମ୍ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
Powered by Froala Editor