ବିଫଳ ପ୍ରେମିକର ପ୍ରତିଶୋଧ : ପ୍ରେମିକା ସହ ମା’ ଓ ଭାଇକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ

ପ୍ରେମିକା ବାହା ହେବାକୁ ମନା କଲା ବୋଲି ପ୍ରେମିକା ତାଙ୍କ ମା’ଙ୍କ ମା’ ଓ ଭାଇଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି ପ୍ରେମିକ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ଯୁବତୀଙ୍କ ସମେତ ତାଙ୍କ ମା’ ଓ ଭାଇ ଗୁରୁତର ହୋଇଛନ୍ତି। ସେମାନେ ଘରେ ଶୋଇଥିବା ବେଳେ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଥିଲା।
ଗୁରୁତରମାନଙ୍କୁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ନେଇଥିଲା। ସେଠାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ପ୍ରେମିକ ଢେଙ୍କାନାଳର ସ୍ୱସ୍ତିକ ରମଣ ଦାସ ନିଆଁ ଲଗାଇ ଫେରାର୍ ହେଉଥିବା ସମୟରେ ସ୍ଥାନୀୟ ଲୋକେ ତାକୁ କାବୁ କରି ଲାଠୋର ପୁଲିସର ଜିମା ଦେଇଛନ୍ତି।
ସୂଚନା ଅନୁସାରେ, ଉକ୍ତ ଯୁବତୀ ଓ ଅଭିଯୁକ୍ତ ସ୍ବସ୍ତିକ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ଫେବ୍ରୁଆରି ମାସରେ ଯୁବତୀ ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଏକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (ସିଏଚ୍ଓ) ଭାବେ ନିଯୁକ୍ତି ପାଇଥିଲେ। ସେ ବଲାଙ୍ଗୀର ସହରର ମୂଳ ନିବାସୀ ହୋଇଥିବା ବେଳେ ଲାଠୋରରେ ଏକ ଘରଭଡ଼ା ନେଇ ପରିବାର ସହ ରହୁଥିଲେ।
ଯୁବତୀ ଜଣକ ଚାକିରି ପାଇବା ପରେ ଦୁହିଁଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ଅଭିଯୁକ୍ତ ବାରମ୍ବାର ଉକ୍ତ ଯୁବତୀଙ୍କୁ ଟଙ୍କା ମାଗିବା ସହ ବାହା ହେବାକୁ ଜିଦ୍ ଧରି ନିର୍ଯାତନା ଦେଉଥିଲା। ଏହାପରେ ସ୍ୱସ୍ତିକ ପ୍ରତିଶୋଧ ପରାୟଣ ହୋଇ ମଦ ପିଇବା ପରେ ଏପରି ଘଟଣା ଘଟାଇଥିବା ପ୍ରାଥମିକ ସୂଚନା ମିଳିଛି। ଶନିବାର ଦିନ ୧ଟାରେ ସ୍ବସ୍ତିକ ନିଶାସକ୍ତ ଅବସ୍ଥାରେ ଲାଠୋରକୁ ଆସି କବାଟ ବାଡ଼େଇଥିଲା। କବାଟ ଖୋଲିବା ପରେ ଉକ୍ତ ଯୁବତୀ, ତାଙ୍କ ମା’ ଓ ସାନଭାଇଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।
Powered by Froala Editor