ଫୁଟନ୍ତା ପିଚୁ କୁଣ୍ଡରେ ପଡିଗଲେ ଡ୍ରାଇଭର
ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ଫୁଟନ୍ତା ପିଚୁ କୁଣ୍ଡରେ ପଡି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ଡ୍ରାଇଭର ଏ.କ୍ରିଷ୍ଣା ରାଜୁଙ୍କ ଘର ଆନ୍ଧ୍ରପ୍ରଦେଶ ବିଶାଖାପାଟନାମ୍ ଅଞ୍ଚଳର। ତାଙ୍କ ପରିବାର ଲୋକେ ଆସିଲେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି।
ଦୁର୍ଗୀ ସଦର ପଞ୍ଚାୟତରେ ଏକ ହଟ୍ ପିଚୁ ମିକ୍ସ ପ୍ଲାଣ୍ଟ ରହିଛି। ଉକ୍ତ ପ୍ଲାଣ୍ଟକୁ ବିଶାଖାପାଟନାମରୁ ଏକ ପିଚୁ ବୋଝେଇ ଟ୍ରକ୍ ଆସିଥିଲା। ଟ୍ରକ୍ ଡ୍ରାଇଭର ଏ.କ୍ରିଷ୍ଣା ରାଜୁ ପ୍ଲାଣ୍ଟର ପିଚୁ କୁଣ୍ଡରେ ପାଇପ୍ ଯୋଗେ ପିଚୁ ଢାଳୁ ଥିଲେ। ଅସାବଧାନତା ଯୋଗୁ ଶ୍ରୀ ରାଜୁ ଉକ୍ତ ପିଚୁ କୁଣ୍ଡରେ ଖସି ପଡିଥିଲେ। କୁଣ୍ଡରେ ଗରମ ତରଳ ପିଚୁ ରହିଥିବାରୁ ସେହି କୁଣ୍ଡ ଭିତରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିଲେ।
ବିଷମକଟକ ଥାନା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଛି।
Powered by Froala Editor