ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବଙ୍ଗରିପୋଷି ରେଞ୍ଜ ଚାକିଡି ବିଟ ଅଞ୍ଚଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଛି । ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର ଜେନା । ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ହାଇଆଲର୍ଟ ଜାରି କରିଛି ବନବିଭାଗ। ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ମୃତ ବନ କର୍ମଚାରୀ ବିମଲ ଜେନା ବାଉଁଶ ଖାଳ ବିଟରେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ବାରିପଦା ଭଂଜପୁରରେ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବଙ୍ଗିରପୋଷି ପୁଲିସ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀ ଦୁଃଖ ସହି ନ ପାରି ସଜ୍ଞାହୀନ ହୋଇପଡିଛନ୍ତି । ତାଙ୍କୁ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶିମିଳିପାଳ ଉତ୍ତର ଡିଭିଜନ୍ର ଶେଷସୀମା ଓ ଦକ୍ଷିଣା ଡିଭିଜନ୍ର ଆରମ୍ଭରେ ଥିବା ବାଉଁଶଖାଲ ବିଟ୍ ହାଉସ୍ ପାଖରେ କିଛି ଶିକାରୀ ମାରଣାସ୍ତ୍ର ସହ ବୁଲୁଥିବା ଖବର ପାଇଥିଲା ବନ ବିଭାଗ। ତୁରନ୍ତ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ତେବେ ସନ୍ଧ୍ୟା ହୋଇ ଆସୁଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଶିକାରୀ ଗଛ ଆଢ଼ୁଆଳରୁ ରହି ବନ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରତିଆକ୍ରମଣରେ ବନ କର୍ମଚାରୀ ମଧ୍ୟ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ଟଳି ପଡ଼ିଥିଲେ ବିମଳ।
Powered by Froala Editor