୯ ମିନିଟ କଟିଥିଲା ଲାଇଟ, ମାନିଲା ସୂଚନା ଓ ଲୋକ ସଂପର୍କ ବିଭାଗ
ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ଲାଇଟ କଟିଯାଇଥିବା ମାନିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କହାଯାଇଛି ଯେ, ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ୟ୍ୟନ୍ତ ଲାଇଟ ଗୁଡ଼ିକ କଟି ଯାଇଥିଲା। ପୂରା ଅଡିଟୋରିୟମ ଅନ୍ଧାର ହୋଇଯାଇଥିଲା। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ଘଟିଥିଲା ଅଭାବନୀୟ ଘଟଣା। ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପୂରା ହଲ୍ ଅନ୍ଧାର ହୋଇଯାଇଥିଲା। ଏସି ଓ ମାଇକ ଚାଲିଥିଲା, କିନ୍ତୁ ଲାଇଟ ସବୁ କଟି ଯାଇଥିଲା। ଲାଇଟ କଟି ଯିବା ସତ୍ତ୍ୱେ ରାଷ୍ଟ୍ରପତି ତାଙ୍କ ଭାଷଣ ବନ୍ଦ କରିନଥିଲେ। ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ସେ ଭାଷଣ ଦେଇଥିଲେ। ରାଷ୍ଟ୍ରପତି ପ୍ରାୟ ୯ ମିନିଟ ଅନ୍ଧାରରେ ଭାଷଣ ଦେବା ପରେ ହଲ୍ର ଲାଇଟ ପୁଣି ଜଳିଥିଲା।
Powered by Froala Editor