ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ୭ ରେ ଲଘୁଚାପରେ ହୋଇପାରେ ପରିଣତ
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ୭ ତାରିଖରେ ଲଘୁଚାପରେ ପରିଣତ ହୋଇପାରେ । ଅଧିକ ବଳ ବଢ଼ାଇ ୮ ସୁଦ୍ଧା ଅବପାତ (ଡିପ୍ରେସନ୍) ରୂପ ନେବ । ତା’ପରେ ଆହୁରି ବଳ ଜୁଟାଇ ବାତ୍ୟାରେ ପରିଣତ ହେବା ସହ ଉତ୍ତର ଦିଗରେ ଗତି କରିବ । ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟାକୁ ନେଇ ଏତିକି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।
ଲଘୁଚାପ ସୃଷ୍ଟି ହେବା ପରେ ଚିତ୍ର ସ୍ପଷ୍ଟ ହେବ । ତା’ପରେ ଏହାର ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ନେଇ କୌଣସି ଆକଳନ କରାଯାଇପାରିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସମୟରେ ଏହାର ତୀବ୍ରତା କେତେ ରହିବ ଓ ସମ୍ଭାବ୍ୟ ଗତିପଥ କ’ଣ ହେବ, ତାହାର ଆକଳନ ସହଜ ନୁହେଁ । ନିର୍ଦ୍ଦିଷ୍ଟ ତଥ୍ୟ ପାଇଁ ଲଘୁଚାପ ସୃଷ୍ଟି ହେବା ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।
ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପୁଣି ଥରେ କହିଛନ୍ତି, ସ୍ଥିତିକୁ ନିରୀକ୍ଷଣ କରାଯାଉଛି । ଲଘୁଚାପ ହେବା ପରେ ଅଧିକ କିଛି କୁହାଯାଇପାରିବ । ଉଭୟ ଜିଏଫଏସ ଓ ଇସିଏମଡବ୍ଲ୍ୟୁଏଫ ଆକଳନ ହେଲା, ସମ୍ଭାବ୍ୟ ବାତ୍ୟା ମିଆଁମାର ଉପକୂଳ ଛୁଇଁପାରେ । ଜିଏଫଏସ ଆକଳନ ବାରମ୍ବାର ବଦଳୁଥିବାବେଳେ ଆଜି ସନ୍ଧ୍ୟା ପୂର୍ବାନୁମାନରେ କୁହାଯାଇଛି, ସମ୍ଭାବ୍ୟ ବାତ୍ୟା ଆସନ୍ତା ୧୨ ତାରିଖ ଅପରାହ୍ନରୁ ରାତି ଭିତରେ ମିଆଁମାର ଉପକୂଳର ୟାଙ୍ଗୁନ ପାଖାପାଖି ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ।
Powered by Froala Editor