କୋଭିଡ ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋକୁ ନେଇ ବିବାଦ
ପାଟନା: କୋଭିଡ ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବିରୋଧୀ ଦଳ ବାରମ୍ବାର ଏହା ଉପରେ ଅଙ୍ଗୁଳି ଉଠାଉଛନ୍ତି । ଏବେ ବିହାରରେ ଏନଡିଏ ସରକାରରେ ସାମିଲ ଥିବା ହାମ (ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା) ଦଳ ମଧ୍ୟ ଏହାକୁ ବିରୋଧ କରୁଛି । ଏହି ପ୍ରସଙ୍ଗରେ ଦଳର ସୁପି୍ରମୋ ଜିତନ ରାମ ମାଁଝି ଦୁଇଟି ଟ୍ୱିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, କୋଭାକ୍ସିନ ଟିକାର ଦୁଇଟି ଡୋଜ ନେବା ପରେ ମୋତେ ପ୍ରମାଣପତ୍ର ମିଳିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିଛି । ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସର୍ବେସର୍ବା ହେଉଛନ୍ତି ରାଷ୍ଟ୍ରପତି । ତେଣୁ ପ୍ରମାଣପତ୍ରରେ ତାଙ୍କ ଫଟୋ ରହିବା ଉଚିତ । ତାଛଡ଼ା ଫଟୋ ଲଗାଇବାର ଅଛି, ତା ହେଲେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ବି ରହିବା ଦରକାର । ନିଜର ଦ୍ୱିତୀୟ ଟ୍ୱିଟରେ ମାଁଝି କହିଛନ୍ତି, ଟିକା ପ୍ରମାଣପତ୍ର ଭଳି କୋଭିଡ ମୃତୁ୍ୟ ପ୍ରମାଣପତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଲେ ତାହା ନ୍ୟାୟସଙ୍ଗତ ହୋଇପାରିବ । ରବିବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଁଝି କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ ନେଇଥିଲେ ।
Powered by Froala Editor