ଗ୍ୟାଙ୍ଗୱାରରୁ ବିଜେପି ନେତାଙ୍କୁ ହତ୍ୟା: ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ

ତାମିଲନାଡୁ ବିଜେପିର ଏସ୍ସି/ଏସ୍ଟି ୱିଙ୍ଗ କୋଷାଧ୍ୟକ୍ଷ ତଥା ବଲାପୁରମ ପଞ୍ଚାୟତ ସଭାପତି ପିପି ଜି ଶଙ୍କରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଛି। ଚେନ୍ନାଇ ଉପକଣ୍ଠ ନଜରାତପେଟରେ ଗୁରୁବାର ରାତିରେ ଏପରି ଘଟଣା ଘଟିଛି। ପ୍ରଥମେ ଶଙ୍କରଙ୍କ କାର୍ ଉପରକୁ ବୋମା ମାଡ଼ କରାଯାଇଥିଲା। ଏହାପରେ ତାଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କରାଯାଇଛି।
ଗୁରୁବାର ରାତିରେ ଶଙ୍କର ତାଙ୍କ କାର୍ରେ ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଯାଉଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଦେଶୀ ବୋମା ତାଙ୍କ କାର ଉପରକୁ ମାଡ଼ କରିଥିଲେ। ଏଥିଯୋଗୁ ଶଙ୍କର କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ବୋମା ମାଡ଼କୁ ଦେଖି ସେ କାର୍ରୁ ବାହାରି ଦୌଡ଼ିବାରେ ଲାଗିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ରାସ୍ତା ଉପରେ ହିଁ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ।
ପୁଲିସ୍ କହିଛି ଯେ ଗ୍ୟାଙ୍ଗୱାରରୁ ଏପରି ଘଟଣା ଘଟିଛି। ଶଙ୍କରଙ୍କ ସହ ଗୋଟିଲ ଗ୍ୟାଙ୍ଗର ଶତ୍ରୁତା ରହିଥିଲା। ତେଣୁ ବିରୋଧୀ ଗ୍ୟାଙ୍ଗ ପକ୍ଷରୁ ଏପରି କରାଯାଇଥିବା ଆଶଙ୍କା କରାଯାଉଛି। ଶଙ୍କରଙ୍କ ନାଁରେ ୧୫ଟି ଅପରାଧିକ ମାମଲା ରହିଥିଲା। ସେ ଗୁଣ୍ଡାଗର୍ଦ୍ଦି ଆଇନରେ ପୂର୍ବରୁ ଦୁଇ ଥର ଗିରଫ ମଧ୍ୟ ହୋଇଥିଲେ।
Powered by Froala Editor