ମାଓବାଦୀ ହମ୍ଲା ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇଆଲର୍ଟ, ସୀମା ସିଲ୍
ଭୁବନେଶ୍ୱର: ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଓଡିଶାର ୩ ଜିଲ୍ଲା ହାଇଆଲର୍ଟ । ସୀମାନ୍ତ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ସୀମା ସିଲ୍ କରାଯାଇ ଗାଡି ମୋଟର ଯାଞ୍ଚ କରାଯାଉଛି । ଏହି ସୂଚନା ଦେଇଛନ୍ତି ଏଡିଜି ଅମିତାଭ ଠାକୁର ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡ଼ାରେ ବଡ଼ଧରଣର ହମ୍ଲା କରିଛନ୍ତି ମାଓବାଦୀ । ଘଟଣାସ୍ଥଳରେ ୧୦ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ବେସରକାରୀ ଗାଡ଼ି ଚାଳକ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ବିସ୍ଫୋରଣର ତୀବ୍ରତା ଏତେ ପ୍ରଚଣ୍ଡ ରହିଥିଲା ଯେ, ଗାଡ଼ି ପ୍ରାୟ ୨୦ଫୁଟ ଉପରକୁ ଉଠି ଛିନ୍ଛତ୍ର ହୋଇଯାଇଥିଲା । ଅରନପୁର ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ ସୂଚନା ପାଇ ଡିଆରଜି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ଏହି ଖବର ମାଓବାଦୀ ଶିବିରରେ ପହଞ୍ଚି ଯାଇଥିଲା ।
ତେଣୁ ଆକ୍ରମଣ ପାଇଁ ଯୋଜନା କରି ଫେରିବା ବାଟରେ ଆମ୍ବୁସ୍ ଲଗାଇ ରହିଥିଲେ। ଗାଡ଼ି ଭଡ଼ା କରି ଯବାନମାନେ ଫେରିବା ସମୟରେ ଅରନପୁର-ସମେଲି ରାସ୍ତାରେ ମାଓବାଦୀ ବଡ଼ଧରଣର ବିସ୍ଫୋରଣ କରିଥିଲେ । ଘଟଣାସ୍ଥଳରେ ହିଁ ହେଡ୍ କନେଷ୍ଟବଳ ଜୋଗା ସୋଢ଼ୀ, ମୁନାରାମ କଡତୀ, ସନ୍ତୋଷ ତାମୋ, କନେଷ୍ଟବଳ ଦୁଗୋ ମଣ୍ଡାବୀ, ଲଖମୁ ମରକାମ, ଜୋଗା କବାସୀ, ହରିରାମ ମଣ୍ଡାବୀ, ଯବାନ ରାଜୁରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ ସହିଦ ହୋଇଯାଇଥିଲେ। ଗାଡ଼ି ଚାଳକ ଧନୀରାମ ଯାଦବଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।
Powered by Froala Editor