ମିଫେପ୍ରିଷ୍ଟୋନ୍ ବଟିକାକୁ ବ୍ୟବହାରକୁ ଅନୁମତି ଦେଲେ ଆମେରିକା ସୁପ୍ରିମକୋର୍ଟ
ଗର୍ଭପାତ ବଟିକାକୁ ନେଇ ଆମେରିକା ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସେଠାରେ ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା ମିଫେପ୍ରିଷ୍ଟୋନ୍ ବଟିକା ବ୍ୟବହାରକୁ ବୈଧ ବୋଲି ଘୋଷଣା କରିଛନ୍ତି ଅଦାଲତ। କିଛି ଦିନ ଧରି ଗର୍ଭପାତ ପାଇଁ ବ୍ୟବହୃତ ହେଉଥିବା ମିଫେପ୍ରିଷ୍ଟୋନ୍ ବଟିକାକୁ ନେଇ ଆମେରିକାରେ ବିବାଦ ଚାଲିଥିଲା, ଯାହାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହି ଔଷଧ ଉପରେ ଲଗାଯାଇଥିବା ନିମ୍ନ ଅଦାଲତର ପ୍ରତିବନ୍ଧକକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
ଗର୍ଭପାତ ବିରୋଧୀ ଗୋଷ୍ଠୀଙ୍କ ଦ୍ବାରା ଆଗତ ଏକ ପିଟିସନର ଶୁଣାଣି କରି ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ କୋର୍ଟ ଏହି ବଟିକାର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଥିଲେ । ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାଇଡେନ ସରକାର । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କହିଛନ୍ତି- ନିମ୍ନକୋର୍ଟଙ୍କ ରାୟ ଯୋଗୁ ମହିଳାମାନଙ୍କ ସ୍ବାସ୍ଥ୍ୟ ବିପଦଗ୍ରସ୍ତ ହେଉଥିଲା । ସୁପ୍ରିମକୋର୍ଟଙ୍କ ରାୟକୁ ବି ସ୍ବାଗତ କରିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ ।
ଗର୍ଭଧାରଣକୁ ରୋକିବା ଲାଗି ମିଫେପ୍ରିଷ୍ଟୋନ୍ ବ୍ୟବହୃତ ହୋଇଥାଏ । ଏହି ଔଷଧ ପ୍ରୋଜେଷ୍ଟେରୋନ୍ ନାମକ ଏକ ହରମୋନ୍ ଅବରୋଧ କରି ରଖିବାରେ ସହାୟକ ହୋଇଥାଏ । ମିଫେପ୍ରିଷ୍ଟୋନ୍ ଅନ୍ୟ ଏକ ମେଡିସିନ ମିସୋପ୍ରୋଷ୍ଟୋଲ ସହ ମିଶାଇ ସେବନ କରାଯାଇଥାଏ। ଗର୍ଭଧାରଣର ପ୍ରଥମ ଦିନରୁ ହିଁ ଏହି ଔଷଧ ଖାଇବା ଦ୍ୱାରା ଗର୍ଭପାତ ହୋଇଥାଏ । ଏହା ସାଧାରଣତଃ ଗର୍ଭଧାରଣର ୧୦ ସପ୍ତାହ ପର୍ଯ୍ୟନ୍ତ ଖିଆଯାଏ ।
Powered by Froala Editor