ବଳାତ୍କାର ପୀଡ଼ିତାଙ୍କ ମୃତଦେହକୁ ଘୋଷାଡ଼ିଲା ପୁଲିସ, ଭିଡିଓ ଭାଇରାଲ ପରେ ହିଂସା
ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରରେ ପୁଲିସ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାକୁ ନେଇ କାଳିଆଗଞ୍ଜରେ ଶନିବାର ପୁଣି ଦେଖାଦେଇଛି ହିଂସା।
ସୂଚନା ଅନୁଯାୟୀ, ଉତ୍ତର ଦିନାଜପୁର ଜିଲ୍ଲା ଗଙ୍ଗୁଆ ଗାଁର ନାବାଳିକା ଜଣକ ଗୁରୁବାର ସନ୍ଧ୍ୟାରେ ଟ୍ୟୁସନ୍ ଯିବା ପରେ ନିଖୋଜ ହୋଇଯାଇଥିଲେ। ସମ୍ପର୍କୀୟ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ରାତି ସାରା ପରିବାର ଲୋକେ ତାଙ୍କୁ ଠାବ କରିପାରିନଥିଲେ। ପରେ ସ୍ଥାନୀୟ ଲୋକେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଯାହା ପରେ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ ଏହାକୁ ନିୟନ୍ତ୍ରଣ କରି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୁଲିସ ଲୋକଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ମୃତଦେହକୁ ଧରି ପୁଲିସ କର୍ମଚାରୀମାନେ ଦୌଡ଼ି ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ ଏହା ଘୋଷାଡ଼ି ହୋଇ ଯାଉଥିବା ଲକ୍ଷ୍ୟ କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ କରିଥିଲେ।
Powered by Froala Editor