ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର : ବିଶ୍ୱବିଦ୍ୟାଳୟ ପରୀକ୍ଷା ନିଜ ଆଞ୍ଚଳିକ ଭାଷାରେ ଦେଇ ପାରିବେ
ଏଣିକି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିଜ ଆଞ୍ଚଳିକ ଭାଷାରେ ଦେଇ ପାରିବେ । ଓଡ଼ିଆ ସହିତ ୧୩ଟି ଆଞ୍ଚଳିକ ଭାଷାରେ ଷ୍ଟାଫ୍ ସିଲେକ୍ସନ ଆୟୋଗ (ଏସଏସସି) ମଲ୍ଟି ଟାସ୍କିଂ (ଏମଟିଏସ) ପରୀକ୍ଷା ଆୟୋଜନ ନେଇ ଗତ ୧୮ ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏହାକୁ ମଞ୍ଜୁରୀ ଦିଆଯାଇଛି ।
ସୂଚନା ମୁତାବକ, ଛାତ୍ରଛାତ୍ରୀଙ୍କୁ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟରୁ ଚିଠି ଲେଖାଯାଇଛି । ଏଥିସହିତ ଆଞ୍ଚଳିକ ଭାଷାର ପାଠ୍ୟ ପୁସ୍ତକ ପ୍ରକାଶ କରିବା ନେଇ ମଧ୍ୟ ଯୋଜନା କରାଯାଉଛି । ଇଂଲିଶ ମିଡିୟମରେ ପାଠ ପଢ଼ୁଥିଲେ ହେଁ ଛାତ୍ରଛାତ୍ରୀମାନେ ଯଦି ଚାହିଁବେ ତେବେ ନିଜ ସ୍ଥାନୀୟ ଭାଷାରେ ପରୀକ୍ଷା ଦେଇ ପାରିବେ । ଶିକ୍ଷାରେ ଭାରତୀୟ ଭାଷାଗୁଡ଼ିକର ନିୟମିତ ବ୍ୟବହାର ନେଇ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଉଲ୍ଲେଖ କରାଯାଇଛି । ସେଥିପାଇଁ ମାତୃଭାଷା ଓ ସ୍ଥାନୀୟ ଭାଷାରେ ଶିକ୍ଷା ଦାନ ନେଇ ଗୁରୁତ୍ୱାରୋପ କରାଯାଇଛି । ଏହି ପଦକ୍ଷେପ ଫଳରେ ଛାତ୍ରଛାତ୍ରୀମାନେ ମାତୃଭାଷାର ମହତ୍ତ୍ୱକୁ ଜାଣିପାରିବେ ଓ ଆଞ୍ଚଳିକ ଭାଷାର ପ୍ରଚାର ପ୍ରସାର ହୋଇପାରିବ ।
Powered by Froala Editor