ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ‘ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ନେଇ ଆସୁ।‘
ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ । କେବଳ ସେତିକି ନୁହେଁ ଓଡିଆ ପାଞ୍ଜି ମଧ୍ୟ ଏହି ଦିନ ଉନ୍ମୋଚିତ ହୋଇଥାଏ।
ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ୟ୍ୟଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଛି। ମକର ସଂକ୍ରାନ୍ତିରୁ ସୂର୍ୟ୍ୟ କ୍ରମଶଃ ବିଷୁବରେଖା ଆଡ଼କୁ ଗତି କରନ୍ତି। ତେଣୁ ସୂର୍ୟ୍ୟ ରଶ୍ମି କ୍ରମଶଃ ପ୍ରଖର ହୁଏ। ଯେଉଁ ଦିନ ସୂର୍ୟ୍ୟ ମେଷ ରାଶିରେ ପ୍ରବେଶ କରନ୍ତି ସେଇ ଦିନ ମେଷ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ଦିନ ସୂର୍ୟ୍ୟ ବିଷୁବ ରେଖାର ଉପରେ ରୁହନ୍ତି। ବିଷୁବ ସଂକ୍ରାନ୍ତିରେ ଦିନ ଓ ରାତି ସମାନ ହୁଏ ଏବଂ ବାୟୁର ଗତି କ୍ରମେ ତୀବ୍ର ହୁଏ। ନଦୀ, ନାଳ ଓ ଜଳାଶୟର ଜଳସ୍ତର ହ୍ରାସ ପାଏ। ତେଣୁ ଜଳାଭାବ ଦେଖାଦିଏ।
ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ । ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ । ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ । ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ । ଏହି ସମୟରେ ସୂର୍ୟ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ । ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ଛତୁ ଓ ପଣା ଭୋଗର ବିଧି ରହିଛି ।
Powered by Froala Editor