ପଣା ସଂକ୍ରାନ୍ତିରେ ଆକାଶରୁ ବର୍ଷିବ ନିଆଁ

ଭୁବନେଶ୍ୱର,: ପ୍ରଚଣ୍ଡ ତାତି । ସାରା ଓଡ଼ିଶା କଲବଲ । ପଣା ସଂକ୍ରାନ୍ତିରେ ଆହୁରି ଭୟାନକ ରୂପ ନେବ ଗ୍ରୀଷ୍ମ ପ୍ରବାହ । ଆକାଶରୁ ନିଆଁ ବର୍ଷିଲା ଭଳି ତାତି ମାଡ଼ ହେବ । ପଶ୍ଚିମ ଓଡ଼ିଶା ୪୪-୪୫ ଡିଗ୍ରୀ ତାପମାତ୍ରାରେ ହୁତ୍ ହୁତ୍ ହୋଇ ଜଳିବ । ଉପକୂଳରେ ବି ନିସ୍ତାର ମିଳିବନି । ଟ୍ୱିନସିଟି ଭୁବନେଶ୍ୱର ଓ କଟକ ତାପମାତ୍ରା ପୁଣି ୪୦ ଡିଗ୍ରୀ ଛୁଇଁବା ସହ ଭଦ୍ରକ ୪୨ ଡିଗ୍ରୀ ତାଉରେ ଛଟପଟ ହୋଇପାରେ ।
ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସ୍ଥିତି ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ସମୀକ୍ଷା ବୈଠକ କରିଛନ୍ତି । ପାନୀୟ ଜଳ ସଙ୍କଟ ଦୂର ସହ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗୁରୁବାର ସାରା ରାଜ୍ୟ ତାତିରେ ତ୍ରାହି ତ୍ରାହି ଡାକିଥିଲା । ୨୫ ସହରରେ ତାତି ୪୦ ଡିଗ୍ରୀ ପାର୍ କରିଥିଲା । ସେଥିରୁ ୮ଟି ସହରରେ ପାରଦ ୪୨ ଡିଗ୍ରୀ ଉପରେ ଥିଲା । ଗୁରୁବାର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା ।
Powered by Froala Editor