ସିଝୁଛି ୨୫ ସହର, ସବୁଠୁ ଉତ୍ତପ୍ତ ବାରିପଦା

ତତଲା କଡେଇରେ ସିଝୁଛି ଓଡ଼ିଶା । ଝାଞ୍ଜି ଅସ୍ତବ୍ୟସ୍ତ କରିଛି । ଆଜି ରାଜ୍ୟର ୨୫ ସହରର ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବାରିପଦା। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି କଟକରେ ୪୧.୪ ଡ଼ିଗ୍ରୀ ଓ ଭୁବନେଶ୍ୱରରେ ୪୦.୮ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ବରରେ ୪୦, ଚାନ୍ଦବାଲିରେ ୪୧.୩, କଟକରେ ୪୧.୪, ଭୁବନେଶ୍ବରରେ ୪୦.୮, ଅନୁଗୁଳରେ ୪୨.୫, ବାରିପଦାରେ ୪୩.୫, ଝାରସୁଗୁଡ଼ାରେ ୪୧.୮, ଟିଟିଲାଗଡ଼ରେ ୪୨.୨, ସୋନପୁରରେ ୪୨.୫, ନୟାଗଡ଼ରେ ୪୦, ବୌଦ୍ଧରେ ୪୨.୫, ପାରଳାଖେମୁଣ୍ଡିରେ ୪୦.୬, ଭଦ୍ରକରେ ୪୧, ଯାଜପୁରରେ ୪୦.୨, ଢେଙ୍କାନାଳରେ ୪୦.୫, ନୂଆପଡ଼ାରେ ୪୦, ଜଗତସିଂହପୁରରେ ୪୦.୫, ରାଉରକେଲାରେ ୪୧, ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ଫୁଲବାଣୀରେ ୪୦.୩, ହୀରାକୁଦରେ ୪୦.୬, ତାଳଚେରରେ, ଭବାନୀପାଟଣାରେ ଓ ବଲାଙ୍ଗୀରରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।
ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍ ରଖିବାକୁ ନିର୍ଦ୍ଦେଶ
ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ଦେଖି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମିକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ କହିଛନ୍ତି, ସ୍କୁଲ ଓ ଅଙ୍ଗନବାଡ଼ି ୧୬ ତାରିଖ ଯାଏଁ ବନ୍ଦ ରହିଛି। ଖରା ବଢ଼ିଲେ ପୁଣି ନିଷ୍ପତ୍ତି ନିଆଯିବ। କଲେଜରେ ପରୀକ୍ଷା ଚାଲିଛି। ପରୀକ୍ଷା ସରିଲେ ଖରା ଦେଖି ନିଷ୍ପତ୍ତି ନିଆଯିବ।
ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ଟା କାମ ବନ୍ଦ କରାଯାଇଛି। ବସ୍ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ବସ୍ରେ ବରଫ, ଓଆର୍ଏସ୍ ଓ ପାଣି ମହଜୁଦ ରଖିବାକୁ କୁହାଯାଇଛି। ଜଳଛତ୍ର ଖୋଲିବାକୁ ଓ ନଳକୂଅ ମରାମତି ପାଇଁ କୁହାଯାଇଛି। ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
Powered by Froala Editor