ହନୁମାନ ଜୟନ୍ତୀ ପୂର୍ବରୁ କଟକଣା : ସମ୍ବଲପୁରରେ ଲାଗିଲା ୧୪୪ ଧାରା, ଇଣ୍ଟରନେଟ୍ ବନ୍ଦ

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବା ପାଇଁ ପ୍ରାଶସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଆଜି ସକାଳ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ। ଏହାସହ ସମସ୍ତ ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି। ମିଡିଆ ମେସେଜିଂ ସର୍ଭିସ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।
ସୂଚନା ଅନୁସାରେ, ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଧନୁପାଲି ଛକରୁ ରାଲି ଗଲା ବେଳେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରେ ଉତ୍ତ୍ୟକ୍ତ ଲୋକମାନେ ପଥର ମାଡ଼ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍, ବାଇକ ଜାଳି ଦେଇଥିଲେ। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ତେଣୁ ସହରରେ ୧୪୪ ଧାରା ସହ ଇଣ୍ଟରନେଟ ବ୍ୟବହାର ଉପରେ ରୋକ ଲଗାଯାଇଛି ।
Powered by Froala Editor