ଅସହ୍ୟ ତାତି ରାଜଧାନୀବାସୀଙ୍କୁ କରୁଛି ଅତିଷ୍ଠ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଗ୍ରୀଷ୍ମର ଜ୍ବାଳା ରାଜଧାନୀବାସୀଙ୍କୁ ଅତିଷ୍ଠ କରିପକାଇଥିଲା। ଦିନ ବଢ଼ିବା ସହ ତାତି ଅସହ୍ୟ ହୋଇପଡ଼ିଥିଲା। ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରିରେ ପହଞ୍ଚିଥିଲା। ଭୁବନେଶ୍ବରର ତାପମାତ୍ରା। ଦିନ ସାଢ଼େ ୧୧ଟା ସୁଦ୍ଧା ୩୭.୨ ଡିଗ୍ରି ଓ ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ୩୯ ଡିଗ୍ରି ଅତିକ୍ରମ କରିସାରିଥିଲା ରାଜଧାନୀ ପାରଦ। ଶେଷରେ ୪୦ ଡିଗ୍ରିରେ ପହଞ୍ଚୁ ପହଞ୍ଚୁ ଅଳ୍ପ କିଛି ବ୍ୟବଧାନ ଅର୍ଥାତ ୩୯.୭ ଡିଗ୍ରି ସର୍ବୋଚ୍ଚ ତାପମାତ୍ରା ସହ ରାଜଧାନୀର ପାରଦ ସ୍ତର ବନ୍ଦ ହୋଇଥିଲା। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜଧାନୀ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରପାଥ ପଶୁପାଳକ କହିଛନ୍ତି, ଆସନ୍ତା ଶନିବାର ଯାଏ ରାଜଧାନୀ ଭୁବନେଶ୍ବର ଏକ ଉତ୍ତପ୍ତ ପିଣ୍ଡ ପାଲଟିବ।
ରାଜ୍ୟରେ ଆଜିଠାରୁ ବାୟୁ ପ୍ରବାହରେ ପରିବର୍ତ୍ତନ ହୋଇଛି। ରାଜ୍ୟକୁ ଉତ୍ତର-ପଶ୍ଚିମ ବାୟୁ ସିଧାସଳଖ ପ୍ରବାହିତ ହେଉଛି। ଏହା ଫଳରେ ଉପକୂଳ ଓଡ଼ିଶା ବିଶେଷ ଭାବେ ପ୍ରଭାବିତ ହେବ ଓ ରାଜଧାନୀ ଭୁବନେଶ୍ବରରେ ଉତ୍ତାପ ଅଧିକରୁ ଅଧିକ କେନ୍ଦ୍ରୀଭୂତ ହେବ। ଫଳରେ ରାଜ୍ୟର ତାପମାତ୍ରା ବଢ଼ିଚାଲିବ। ଏଥିସହ ରାଜଧାନୀରେ ଏବେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ। ଫଳରେ ଆକାଶ ନିର୍ମଳ ଓ ବାୟୁମଣ୍ଡଳ ଆର୍ଦ୍ରମୁକ୍ତ ହେବା ଫଳରେ ତାତି ଆହୁରି ବଢ଼ିଯିବ। ଭୁବନେଶ୍ବରର ତାତି ଏବେ ପ୍ରତିଦିନ ୧ ଡିଗ୍ରି ଲେଖାଏଁ ବଢ଼ିଚାଲିବ। ମଙ୍ଗଳବାର ଅର୍ଥାତ ଆସନ୍ତାକାଲି ୪୧ ଡିଗ୍ରି, ବୁଧବାର ୪୨ ଡିଗ୍ରି ଓ ତା’ ପରେ ଶନିବାର ପର୍ଯ୍ୟନ୍ତ ୪୩ ଡିଗ୍ରି ପାଖାପାଖି ରହିବ ରାଜଧାନୀର ଦିନ ତାପମାତ୍ରା। ଏଭଳି ସ୍ଥିତିରେ ଆଜି ଘନ ଘନ ବିଦ୍ୟୁତ କାଟ୍ ହୋଇଥିବାରୁ ଲୋକମାନେ ହଇରାଣ ହୋଇଥିଲେ। ବମିଖାଲ, ଲକ୍ଷ୍ମୀସାଗର, ଓସ୍କାର ସିଟି, ବଡ଼ଗଡ଼, କଳ୍ପନା, ପାଣ୍ଡବନଗର, ଟଙ୍କପାଣି ରୋଡ୍ ଆଦି ଅଞ୍ଚଳରେ ବିଦ୍ୟୁତ୍ କାଟ୍ ହୋଇଥିବା ଲୋକମାନେ ଅଭିଯୋଗ କରିଛନ୍ତି।
Powered by Froala Editor