ଗୁହାଳରୁ ବାଛୁରୀକୁ ଟାଣି ନେଲା ବାଘୁଣୀ

ନୂଆପଡ଼ା : ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଞ୍ଚାୟତରେ ମଙ୍ଗଳବାର ସକାଳୁ ପାୱାରତୋଲା ଗାଁର ଜଣଙ୍କ ଗୁହାଳରୁ ବାଛୁରୀକୁ ଟାଣି ନେଇ ଖାଇଯାଇଛି ବାଘୁଣୀ।
ସୂଚନାନୁଯାୟୀ, ଗତ ମାସେ ହେବ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଶାବକ ସହ ବାଘୁଣୀ ଖାଦ୍ୟ ଅନ୍ଵେଷଣରେ ଆସି ଆଡ୍ଡା ଜମାଇ ବସିଛି । ସେହିଦିନ ଠାରୁ ଆମାନାରା ପଞ୍ଚାୟତ ତରିଆ ମହୁଆଭଟା ସମେତ ପାୱାରତୋଲା, ମୋହରାଡ଼ିହି ଗାଁରେ ଆତଙ୍କ ଚଳାଇଛି । ଗତ କିଛି ଦିନର ନୀରବତା ପରେ ପୁଣି ବାଘୁଣୀ ରକ୍ତମୁଖା ହୋଇଛି । ସୋମବାର ରାତିରେ ପାୱାରତୋଲା ଗାଁର ଚିଟିରାମ ସତନାମୀ ନିଜ ଗୁହାଳରେ ଗାଈ ଓ ବାଛୁରୀକୁ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ ବାଘୁଣୀ ମୁଷରଙ୍ଗୀ ଜଙ୍ଗଲରୁ ଶିକାର ପାଇଁ ବାହାରିଥିଲା । ପାୱାରତୋଲା ଗାଁର ଚିଟିରାମଙ୍କ ଗୁହାଳରେ ପଶି ବାଛୁରୀକୁ ଶିକାର କରିଛି । ବାଛୁରୀକୁ ଗୁହାଳରୁ ବାଡିକୁ ଟାଣି ନେଇ ବାଘୁଣୀ ଖାଇ ଯାଇଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିନଥିବା ଗାଁ ଲୋକେ କହିଛନ୍ତି । ଏବେ ବାଘୁଣୀ ଭୟରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି।
Powered by Froala Editor