ଆଜି ରୁକୁଣା ରଥରେ ବାହୁଡ଼ିବେ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍ମୁଣୀ

ଭୁବନେଶ୍ୱର: ରାମେଶ୍ୱର ପୀଠରେ ୩ଦିନ ଅବସର ବିତାଇବା ପରେ ରବିବାର ରୁକୁଣା ରଥରେ ବିଜେ ହୋଇ ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍ମୁଣୀ । ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ଠାରୁ ଅଧଘଣ୍ଟାଏ ଆଗରୁ ରଥ ଟଣା କାର୍ୟ୍ୟ ଆରମ୍ଭ କରିବା ଲାଗି ମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ଜଣାଇଛନ୍ତି । ଫଳରେ ଗୋଟିଏ ଦିନରେ ରଥ ରାମେଶ୍ୱରରୁ ମହାଖଳାରେ ପହଞ୍ଚିବ । ତେଣୁ ରାମେଶ୍ୱରଙ୍କ ପୀଠରେ ମଧ୍ୟ ସମସ୍ତ ନୀତି ଆଗୁଆ ସମ୍ପନ୍ନ କରିବା ଲାଗି ପରାମର୍ଶ ଦିଆଯାଇଛି ବୋଲି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ୟ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର କହିଛନ୍ତି ।
ପରିବର୍ତ୍ତିତ ନୀତିନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ,ଅବକାଶ,ରୋଷ ହୋମ ଓ ପାକ କାର୍ୟ୍ୟ ସକାଳୁ ଆରମ୍ଭ ହୋଇ ୮ଟାରେ ଶେଷ ହେବ । ସାହାଣମେଲା ଦର୍ଶନ ୯ଟା ପର୍ୟ୍ୟନ୍ତ ଚାଲିବ । ଛାମୁ ପରିଷ୍କାର,ମହାସ୍ନାନ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା ଦିନ ୧୦ଟା ଯାଏ ଜାରି ରହିବ। ଶ୍ରୀଜିଉଙ୍କ ବଲ୍ଲଭ,ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ,ଶ୍ରୀଜିଉଙ୍କ ସକାଳ ଧୂପ, ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ଓ ଭୋଗ ମଣ୍ଡପ ଦିନ ୧୨ ମଧ୍ୟରେ ସମ୍ପନ୍ନ ହେବ ।ଏହାପରେ ଅପରାହ୍ଣ ୧ଟା ମଧ୍ୟରେ ଅଧରପଣା ନୀତି ସମାପନ କରାଯାଇ ପହଣ୍ଡି ଆରମ୍ଭ ହେବ । ଅପରାହ୍ଣ ୩ଟା ପୂର୍ବରୁ ରଥ ଟଣା ଆରମ୍ଭ ହେବ । ରୁକୁଣା ରଥ ଅଣ ଲେଉଟା । ତେଣୁ ରଥକୁ ମୋଡ଼ ନକରି ଶ୍ରୀଜିଉଙ୍କ ସିଂହାସନକୁ କେବଳ ବୁଲାଇ ଦିଆଯାଇଛି । ବାକି ମରାମତି କାମ ମଧ୍ୟ ସବୁ ଶେଷ ହୋଇଛି ବୋଲି ବରିଷ୍ଠ ସେବାୟତ ସୋମନାଥ ମହାରଣା କହିଛନ୍ତି ।
Powered by Froala Editor