ରୁକୁଣା ରଥଯାତ୍ରା: ରଥଦାଣ୍ଡରେ ଫାଷ୍ଟଫୁଡ ଦୋକାନରେ ଆମିଷ ବିକ୍ରି ବନ୍ଦ
ଭୁବନେଶ୍ୱର : ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଗତକାଲି ଅର୍ଥାତ ଶନିବାର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୃଙ୍ଖଳିତ ରଥଟଣା ଓ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି। ନିର୍ଦ୍ଧାରିତ ସମୟ ଓ ଶୃଙ୍ଖଳିତ ନୀତିକାନ୍ତି ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଆଉ ଠିକ୍ ସମୟରେ ରଥଟଣା ଆରମ୍ଭ ହେବା ସହ ମାଉସୀ ମା’ ମନ୍ଦିର ନିକଟରେ ରଥ ପହଞ୍ଚାଇବା ପାଇଁ ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି। ସେଭଳି ଚଳିତବର୍ଷ ପ୍ରଥମ କରି ରଥ ନିକଟରେ ଦୁଇଟି ମଞ୍ଚ କରାଯିବ। ଉକ୍ତ ଦୁଇଟି ଷ୍ଟେଜରେ ଓଡ଼ିଶୀ ସହ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବ।
ସେହିପରି ରଥଯାତ୍ରା ଠାରୁ ସ୍ୱର୍ଣ୍ଣାଦୀ ବିଜେ ପର୍ୟ୍ୟନ୍ତ ରଥଦାଣ୍ଡରେ ଆମିଷ ବିକ୍ରି ଉପରେ କଟକଣା ଲଗାଯାଇଛି। ବିଶେଷକରି ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ମାଉସୀ ମା’ ମନ୍ଦିର ଯାଏଁ ଥିବା ଫାଷ୍ଟଫୁଡ ଦୋକାନରେ ଆମିଷ ବିକ୍ରି ବନ୍ଦ କରିବା ଲାଗି ସେବାୟତମାନେ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ରଥଯାତ୍ରାରେ ପରିମଳ ବ୍ୟବସ୍ଥାକୁ ଗୁରତ୍ୱ ଦେଇଛି ବିଏମ୍ସି। ରଥଯାତ୍ରା ପୂର୍ବରୁ ରାସ୍ତାରେ ଥିବା ଗଛ ଡାଳଗୁଡ଼ିକ କାଟିବା ସହ ଖାଲଖମା ପୋତିବା ପାଇଁ ବୈଠକରେ ଗୁରତ୍ୱାରୋପ ହୋଇଛି। ସେଭଳି ବର୍ଷା ପାଣି ନ ଜମିବା ପାଇଁ ବ୍ୟବସ୍ଥା କରିବା ସହ ପର୍ୟ୍ୟାପ୍ତ ପରିମାଣ ଲାଇଟ ବ୍ୟବସ୍ଥା କରାଯିବ। ସେପଟେ ଶିବରାତ୍ରି ସମୟରେ ଯେମିତି ମନ୍ଦିର ଫୁଲରେ ସଜାଯାଇଥିଲା ରଥଯାତ୍ରା ସମୟରେ ସେମିତି ଫୁଲରେ ସଜାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ସେପରି ଶୃଙ୍ଖଳିତ ନୀତିକାନ୍ତି ଓ ନିର୍ଦ୍ଧାରିତ ସମୟରେ ରଥ ପହଞ୍ଚିଲେ, ସେବାୟତଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ସମ୍ୱର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଋକୁଣା ରଥଯାତ୍ରା ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ରଥଟଣା ସମୟରେ ଆଇନଶୃଙ୍ଖଳା ପରିସ୍ଥିତି େନଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି। ସେପରି ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।
Powered by Froala Editor