ଜନନେତାଙ୍କୁ ଛେଚିଲେ ଉଗ୍ର ଜନତା

ପୁରୀ: ଜନନେତାଙ୍କୁ ନିର୍ଧୂମ ଛେଚିଲେ ଉଗ୍ର ଜନତା । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସାଣ୍ଡେରା ପଂଚାୟତ କାର୍ୟ୍ୟାଳୟ ନିକଟରେ ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କୀତ ଆଲୋଚନା ଚାଲିଥିବା ବେଳେ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।
ଉକ୍ତ ଗ୍ରାମସଭାରେ ସତ୍ୟବାଦୀ ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକ୍ରମ ଜେନାଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ବହୁ ସଂଖ୍ୟାରେ ସାଧାରଣ ଲୋକେ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍କାମ ହେଉଥିବା କିଛି ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ ହଠାତ କଥା କଟା କାଟି ଯୁକ୍ତିତର୍କ ହେବା ଆରମ୍ଭ ହେଲା ଓ ପରେ ତାହା ଉଗ୍ର ରୂପ ନେଲା ।
ପୁଞ୍ଜୀଭୂତ ଅସନ୍ତୋଷକୁ ନେଇ ଲୋକେ ତାତିଲେ ଓ ଗୋଡ଼ାଇ ଗୋଡ଼ାଇ ନେତାଙ୍କୁ ପିଟିଲେ । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜେଡି ନେତା ବିକ୍ରମ ଜେନା ଗୁରୁତର ହୋଇ ପଡ଼ିଥିଲେ। ଖବର ପାଇ ସତ୍ୟବାଦୀ ପୁଲିସ୍ ପହଞ୍ଚିଥିଲା। ମାତ୍ର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପୁଲିସ୍ ବିକ୍ରମ ଜେନାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲ ଓ ପରେ ପୁରୀ ସ୍ଥାନାନ୍ତର କରାଯାଇଛି।
Powered by Froala Editor