ଆଉ ରାଜନୀତିରେ ଆଗକୁ ମାଡ଼ିବେନି ସୁର, ଜାଣନ୍ତୁ କାରଣ

ଭୁବନେଶ୍ୱର: ସବୁବେଳେ ମାଡ଼ି ଚାଲ କହୁଥିବା କଂଗ୍ରେସର ଜଟଣୀ ବିଧାୟକ ସୁର ରାଉତରାୟ ଆଉ ରାଜନୀତିରେ ଆଗକୁ ମାଡ଼ିବେନି । କାରଣ ସେ ଆଗକୁ ଆଉ ନିର୍ବାଚନ ଲଢିବେ ନାହିଁ । ଏ କଥା ଆମେ କହୁନାହୁଁ । ଶ୍ରୀ ରାଉତରାୟ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ରାଉତରାୟ ଭେଟିଥିବାବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ନିଜ ରାଜନୈତିକ କ୍ୟାରିୟରରେ ଫୁଲଷ୍ଟପ ମାରିବା ସମ୍ପର୍କରେ ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ, ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବ । ମୋତେ ୮୦ ହେଲାଣି । ମୋ ସାନ ପୁଅ କଂଗ୍ରେସ ଟିକଟରୁ ଲଢିବ । ମୁଁ ୫୫ ବର୍ଷ କଂଗ୍ରେସରେ ରହିଛି । ସାନ ପୁଅ କଂଗ୍ରେସରୁ ଲଢିବ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଥିଲା । ବଡ଼ପୁଅ ସିଦ୍ଧାର୍ଥ ପାହାଡ଼ ଚଢି ରେକର୍ଡ କରିଛି । ତାହା ଜଣାଇବାକୁ ଯାଇଥିଲି । କେବଳ ବଡ଼ ପୁଅ କଥା ଚର୍ଚ୍ଚା ହେଲା, ରାଜନୈତିକ ଚର୍ଚ୍ଚା ହୋଇନି ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
Powered by Froala Editor