୩ ଘଣ୍ଟା ବିଳମ୍ବରେ ଉଠିଲା ଶ୍ରୀଲିଙ୍ଗରାଜଙ୍କ ‘ମହାଦୀପ’
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଓ ପବିତ୍ର ଜାଗରଯାତ୍ରା ଶନିବାର ସମ୍ପନ୍ନ ହୋଇଛି । ଚଳିତ ବର୍ଷ ୩ ଘଣ୍ଟା ବିଳମ୍ବରେ ମହାଦୀପ ଉଠିଛି । ରାତି ଗୋଟାଏ ୧୦ ମିନିଟ୍ରେ ସମର୍ଥା ସେବାୟତ ମନ୍ଦିର ଚୂଡ଼ାକୁ ମହାଦୀପ ଉଠାଇଥିଲେ । ଏଥର ରାତି ୧୦ଟାରେ ମହାଦୀପ ଉଠିବ ବୋଲି ପୂର୍ବରୁ ନୀତି ଚୂଡ଼ାନ୍ତ ହୋଇଥିଲା । କିନ୍ତୁ ବିଭିନ୍ନ ନୀତିରେ ବିଳମ୍ବିତ ପ୍ରକ୍ରିୟା ଜାରି ରହିବା ଫଳରେ ମହାଦୀପ ଉଠିବାରେ ଡେରି ହୋଇଥିଲା ।
ପ୍ରତ୍ୟୁଷରୁ ସେବାୟତଗଣ ଠିକଣା ସମୟରେ ଠାକୁରଙ୍କ ସେବା ନୀତି ଆରମ୍ଭ କରିଥିଲେ । ଅପେକ୍ଷାରତ ଭକ୍ତଙ୍କୁ ସାହାଣ ମେଲା ଦର୍ଶନ ପାଇଁ ଛଡ଼ା ଯାଇଥିଲା । ଦିନ ସାଢ଼େ ୧୨ ପର୍ୟ୍ୟନ୍ତ ନୀତି ସମୟାନୁବର୍ତ୍ତୀରେ ଚାଲିଥିଲା । କିନ୍ତୁ ମାଘ ସ୍ନାନ ନୀତି ପରେ ଥିବା ଅନ୍ୟ ନୀତି ସମ୍ପନ୍ନରେ ବିଳମ୍ବ ହୋଇଥିଲା । ଏହା ପରବର୍ତ୍ତୀ ନୀତିରେ କିଛି କିଛି ସମୟ ବିଳମ୍ବ ଘଟିବା ଫଳରେ ବେଢ଼ା ପରିକ୍ରମା ହେବା ବେଳକୁ ରାତି ସାଢ଼େ ୧୨ଟା ହୋଇ ଯାଇଥିଲା । ଶେଷରେ ରାତି ପ୍ରାୟ ଗୋଟାଏ ୧୦ ବେଳକୁ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାକୁ ଉଠିଥିଲେ । ଏହି ସମୟରେ ଭକ୍ତଗଣଙ୍କ ‘ଓଁ ନମଃ ଶିବାୟ’ ଧ୍ୱନିରେ ମହାଖଳା ପ୍ରକମ୍ପିତ ହୋଇଥିଲା । ମହାଦୀପ ଦର୍ଶନ କରି ଶ୍ରଦ୍ଧାଳୁମାନେ ବ୍ରତ ସମାପନ କରିଥିଲେ ।
ଶ୍ରୀଜିଉଙ୍କ ଏହି ନୀତି ବିଳମ୍ବ ପାଇଁ ସେବାୟତମାନେ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି । ମହାଶିବରାତ୍ରି ପୂର୍ବରୁ ପୂଜାପଣ୍ଡା ଓ ବ୍ରାହ୍ମଣ ସେବାୟତମାନେ ଭେଟ, ଡାଲା ଭୋଗ, ଶ୍ରାବଣୀ ଆଦି ପାଉଣାରେ ଥିବା ବିବାଦକୁ ତୁଟାଇବା ଲାଗି ଟ୍ରଷ୍ଟ ବୋର୍ଡକୁ ଜଣାଇଥିଲେ । ମହାଶିବରାତ୍ରି ପୂର୍ବରୁ ଏହାର ସମାଧାନ କରିବାକୁ ଟ୍ରଷ୍ଟ ବୋର୍ଡ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପ୍ରତିଶ୍ରୁତି ପୂରଣ ନ ହେବା ଫଳରେ ସେବାୟତମାନେ ଜାଣିଶୁଣି ନୀତିରେ ଅସହଯୋଗ କରିଥିବା କୁହାଯାଉଛି ।
Powered by Froala Editor