ଆଣ୍ଟିବଡି ପରୀକ୍ଷା କରିବାକୁ ଡିଆର୍ଡିଓ ଲଞ୍ଚ କରିବ ‘ଡିପକୋଭାନ’ କିଟ୍

କରୋନାଭାଇରସ୍ ସହିତ ମୁକାବିଲା ପାଇଁ ଡିଆରଡିଓ ଆଣ୍ଟିବଡି ଡିଟେକସନ୍ କିଟ୍ ପ୍ରସ୍ତୁତ କରିଛି। ଏହି କିଟ୍ କରୋନା ସଙ୍କଟରେ ବହୁତ ସହାୟକ ହେବ ବୋଲି କୁହାଯାଉଛି । କିଟର ନାମ ଡିପକୋଭନ ଏବଂ ଏହା ଜୁନରେ ମାର୍କେଟରେ ଉପଲବ୍ଧ ହେବ । ଡିପକୋଭାନ କିଟ୍ ଉଭୟ ସ୍ପାଇକ୍ ଏବଂ ନ୍ୟୁକ୍ଲିଓକାପସିଡ୍ ପ୍ରୋଟିନ୍ ଚିହ୍ନଟ କରିପାରିବ । ଅଳ୍ପ ସମୟ ମଧ୍ୟରେ ଏହା ଆଂଟିବଡି ପରୀକ୍ଷା କରିପାରିବା ସହ ୯୭ ପ୍ରତିଶତ ଭାଇରସ ସ୍ପାଇକକୁ ଡିଟେକ୍ଟ କରିପାରିବ । କିଟ୍ ବ୍ୟବହାର କଲେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ । ଆଇସିଏମଆର ଏବଂ ଡିସିଜିଆଇ ମଧ୍ୟ ଏହାକୁ ଅନୁମତି ପ୍ରଦାନ କରିଛି ।
ଡିଆରଡିଓର ଲାବୋରେଟୋରୀ ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିଓଲୋଜି ଆଣ୍ଡ ଆଲିଏଡ୍ ସାଇନ୍ସ ଆଣ୍ଟିବଡି ଚିହ୍ନଟ-ଆଧାରିତ କିଟ୍ ‘ଡିପକୋଭାନ( DIPCOVAN ) ଡିଜାଇନ୍ କରିଛି। ଡିଆରଡିଓ ଦିଲ୍ଲୀର ଭାନୁଗାର୍ଡ ଡାଇଗ୍ନୋଷ୍ଟିକ୍ ପିଭି ଲିମିଟେଡ୍ କମ୍ପାନୀ ସହିତ ଏହି କିଟ୍ ବିକଶିତ କରିଛି । ଡିଆରଡିଓ କହିଛି ଯେ, ଦେଶର ବୈଜ୍ଞାନିକମାନେ ଡିପକୋଭାନ କିଟ୍ ସଂପୂର୍ଣ୍ଣ ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୧ ହଜାରରୁ ଅଧିକ ରୋଗୀଙ୍କ ଉପରେ ଏହି କିଟ୍ ପରୀକ୍ଷା କରାଯାଇଥିଲା । ଡିଆରଡିଓ କହିଛି ଯେ, ଗତ ଏକ ବର୍ଷ ମଧ୍ୟରେ ଏହି କିଟ୍ ର ତିନିଟି ବ୍ୟାଚ୍ ପରୀକ୍ଷା କରାଯାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଗତ ମାସରେ ଏହି ଆଣ୍ଟିବଡି ଚିହ୍ନଟ କିଟ୍ ଅନୁମୋଦନ କରିଛି।
ସୂଚନା ଅନୁଯାୟୀ, ଭାନୁଗାର୍ଡ ଡାଇଗ୍ନୋଷ୍ଟିକ୍ ପିଭି ଲିମିଟେଡ୍ ଆସନ୍ତା ମାସର ପ୍ରଥମ ସପ୍ତାହରେ ବିକ୍ରୟ ପାଇଁ ଡିପକୋଭାନ କିଟ୍ ଲଞ୍ଚ କରିବ। ଲଞ୍ଚ ହେବା ବେଳକୁ କମ୍ପାନୀ ୧୦୦ଟି କିଟ୍ ପ୍ରସ୍ତୁତ କରିବ, ଯେଉଁଥିରୁ ପ୍ରାୟ ୧୦,୦୦୦ ପରୀକ୍ଷା କରାଯାଇପାରିବ । ସ୍ୱତନ୍ତ୍ର ସ୍ୱଦେଶୀ ଜ୍ଞାନକୌଶଳରେ ଏହି କିଟକୁ ପ୍ରସ୍ତୁତ କରାଯାଇଛି ।
Powered by Froala Editor