ଅଦାଲତରେ ଅନୁଭବ-ବର୍ଷା, ଛାଡ଼ପତ୍ର ମାମଲାର ଶୁଣାଣି ଆରମ୍ଭ

କଟକ: କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ମାମଲାର ପ୍ରାରମ୍ଭିକ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଉଭୟ ଅନ୍ୁଭବ ଓ ବର୍ଷା କଟକ ପରିବାର ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଗଲା ବର୍ଷ ଜୁଲାଇ ୧୬ରେ ପିଟିସନ ଦାଖଲ କରିଥିଲେ । ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ଷା ଦାୟର କରିଥିବା ଆବେଦନର ୨୦୨୦ ଅକ୍ଟୋବର ୧୬ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରି ଆପୋସ ବୁଝାମଣା ସମ୍ଭାବନାକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଥିଲେ । ଏଥି ସହିତ ପଟିଆଲା ହାଉସ ଫାମିଲି କୋର୍ଟରେ ବିଚାରାଧୀନ ଅନୁଭବଙ୍କ ଆବେଦନର ଶୁଣାଣି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ମାର୍ଚ୍ଚ ୫ ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା ।