ଚୀନ ସେନାର ସମରାଭ୍ୟାସ ନେଇ କ'ଣ କହିଲେ ସେନାମୁଖ୍ୟ ?
ନୂଆଦିଲ୍ଲୀ: ଚୀନର ସେନାବାହିନୀ ଏବେ ଏହାର ପ୍ରଶିକ୍ଷଣ କ୍ଷେତ୍ରରେ ଗତିବିଧି ବଢ଼ାଇଛି । ଚୀନ ସେନାର ଏହି ଗତିବିଧି ବୃଦ୍ଧିକୁ ନେଇ ଭାରତ ବିଶେଷ ସତର୍କତା ଅବଲମ୍ବନ କରିଛି । ସେନାମୁଖ୍ୟ ଏମ ଏମ ନରବଣେ କହିଛନ୍ତି ଯେ ଚୀନ ସେନା ତାହାର ବାର୍ଷିକ ସମରାଭ୍ୟାସ କରୁଛି । ଅନ୍ୟପକ୍ଷରେ ଆମ ସେନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ସବୁ ସମୟରେ ମୁତୟନ ଅଛନ୍ତି । କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଏବଂ ଶତ୍ରୁର ଗତିବିଧିକୁ ନିଷ୍ପ୍ରଭ କରିବା ପାଇଁ ତାହା ପର୍ଯ୍ୟାପ୍ତ ବୋଲି ନରବଣେ କହିଛନ୍ତି । ଏକ ସାକ୍ଷାତକାରରେ ନରବଣେ କହିଛନ୍ତି, ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ଅଂଚଳରେ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ । ତେଣୁ ସଂଘର୍ଷରୁ ବିରତ ରହିବା ଅର୍ଥ ସେନା ପଛକୁ ହଟିନାହିଁ । ଚୀନ ସୀମାରେ ଭାରତ ଯଥାରୀତି ସୈନ୍ୟ ମୁତୟନ ଜାରି ରଖିବ । ପୂର୍ବ ଲଦାଖ କ୍ଷେତ୍ରରେ ଏବେ ପାଖାପାଖି ୫୦ ହଜାରରୁ ୬୦ ହଜାର ସୈନିକ ମୁତୟନ ଅଛନ୍ତି ବୋଲି ସେ କହିଛନ୍ତି । ଦୁଇ ଦେଶ ମଧ୍ୟରେ ଏବେ କୌଣସି ଉତ୍ତେଜନା ନାହିଁ ବୋଲି ନରବଣେ ସ୍ପଷ୍ଟ କରିଛନ୍ତି ।
Powered by Froala Editor