ପେଟ୍ରୋଲ ୩୫ ଟଙ୍କା ବଢାଇଲେ ପାକିସ୍ତାନ ସରକାର, ତାତିଲେ ଲୋକେ
ପାକିସ୍ତାନରେ ଦରବୃଦ୍ଧି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲେଇ ସାରିଲାଣି । ଏବେ ପୁଣି ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଛନ୍ତି। ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ତେଣୁ ଖାଲି ହୋଇ ଯାଉଥିବା ରାଜକୋଷ ବୃଦ୍ଧି ପାଇଁ ପାକିସ୍ତାନ ତୈଳ ଦର ବୃଦ୍ଧି କରିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଦାର୍ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୩୫ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ୩୫ ଟଙ୍କା ବୃଦ୍ଧି ପରେ ପାକିସ୍ତାନରେ ହାଇସ୍ପିଡ୍ ଡିଜେଲ ଲିଟର ପିଛା ୨୬୨ ଟଙ୍କା ୮୦ ପଇସାରେ ପହଞ୍ଚି ଥିବାବେଳେ ପେଟ୍ରୋଲ ୨୪୯ ଟଙ୍କା ୮୦ ପଇସାରେ ପହଞ୍ଚିଛି। ସେହିପରି କିରୋସିନ ଲିଟର ପିଛା ୧୮୯ ଟଙ୍କା ୮୩ ପଇସାରେ ପହଞ୍ଚିଛି। ପାକିସ୍ତାନ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ତୈଳ ଏବଂ ଗ୍ୟାସ ନିୟାମକ ପ୍ରାଧିକରଣ ବିଭାଗ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ତୁରନ୍ତ ପେଟ୍ରୋଲ ଅଭାବକୁ ନେଇ ଅସ୍ଥାୟୀ ହୋର୍ଡିଂକୁ ରୋକିବା ପାଇଁ ମୂଲ୍ୟ ବଢାଇବାକୁ ଅନୁରୋଧ କରିଥିଲେ। ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି ।
ବିଗତ କିଛି ମାସ ହେଲାଣି ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଛି। ସେଠାରେ ଘନ ଘନ ବିଦ୍ୟୁତ କାଟ ହେଉଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛି।
Powered by Froala Editor