ଅମାନିଆ ଦେଇସାରିଲେଣି ୯.୮ କୋଟି

ଭୁବନେଶ୍ୱର : କରୋନା ଯେତିକି ବଢ଼ୁଛି, ଅମାନିଆଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏପ୍ରିଲ ୧ ତାରିଖଠାରୁ ବୁଧବାର ପର୍ଯ୍ୟନ୍ତ ପ୍ରାୟ ୫୦ ଦିନ ଭିତରେ ୩ ଲକ୍ଷ ୧୬ ହଜାର ୬୮୨ ଅମାନିଆ ଧରାପଡ଼ିଛନ୍ତି । ମାସ୍କ, ସାମାଜିକ ଦୂରତା, ନିୟମ ଉଲ୍ଲଂଘନକାରୀ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲଂଘନକାରୀଙ୍କଠାରୁ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ନିୟମ ଭାଙ୍ଗି ବେପାର କରୁଥିବା ୨୧୮୦ ଦୋକାନ, ମାର୍କେଟ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି । ୮୩୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୬୧୪୬ ଗାଡ଼ି ଜବତ କରାଯାଇଛି । ବେଆଇନ ମଦ, ନିଶା କାରବାର ଘଟଣାରେ ୨୫୦୩ ମାମଲା ରୁଜୁ କରାଯାଇଛି । ଡିଜିପି ଅଭୟ ଏ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ଅଭୟ କହିଛନ୍ତି, ଅଭିଯୋଗ ନେଇ ଥାନାକୁ ଆସିବା ଆବଶ୍ୟକ ନାହିଁ । ଘରେ ବସି ଥାନା ନମ୍ବର, ପୁଲିସ କଣ୍ଟ୍ରୋଲ ରୁମ୍ କିମ୍ବା ଆଇଆଇସିଙ୍କ ସିୟୁଜି ନମ୍ବରରେ କଲ୍ କଲେ ପୁଲିସ ଘରୁ ଅଭିଯୋଗ ସଂଗ୍ରହ କରିବ । ୱେବସାଇଟ, ସୋସିଆଲ ମିଡ଼ିଆରେ ୭ ଶହରୁ ଅଧିକ ଫୋନ୍ ନମ୍ବର ଉପଲବ୍ଧ ରହିଛି । କଳାବାଜର କରୁଥିବା ବେପାରୀଙ୍କୁ ମଧ୍ୟ ସେ କଡ଼ା ଚେତାବନୀ ଦେଇଛନ୍ତି । କେହି ଅକ୍ସିଜେନ୍, କରୋନା ଚିକିତ୍ସା ସମ୍ବନ୍ଧିତ ମେଡିସିନ୍ କିମ୍ବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର କଳାବଜାର କରୁଥିଲେ, ତୁରନ୍ତ ସ୍ଥାନୀୟ ଥାନାକୁ ଜଣାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
Powered by Froala Editor