ଅଭିଯୋଗ ପ୍ରମାଣିତ ହେଲେ ମୁଁ ଫାଶୀ ଦେଇ ମରିବି, କିନ୍ତୁ ଇସ୍ତଫା ଦେବିନି
![ଅଭିଯୋଗ ପ୍ରମାଣିତ ହେଲେ ମୁଁ ଫାଶୀ ଦେଇ ମରିବି, କିନ୍ତୁ ଇସ୍ତଫା ଦେବିନି](https://odishanewslens.com/news_gallery/19060_1674232734.jpg)
କୁସ୍ତି ସଂଘ ଅଧ୍ୟକ୍ଷ ତଥା ଭାଜପା ଏମ୍ପି ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ଦାବିରେ ପ୍ରାୟ ୨ଶହ କୁସ୍ତି ଯୋଦ୍ଧା ଗତକାଲିଠୁ ଧାରଣାରେ ବସିଛନ୍ତି। ମାତ୍ର ଇସ୍ତଫା ଦେବାକୁ ସଫା ସଫା ମନା କରି ଯେକୌଣସି ଯାଞ୍ଚ ଲାଗି ପ୍ରସ୍ତୁତ ଥିବା କହିଛନ୍ତି ବ୍ରିଜଭୂଷଣ ଶରଣ ସିଂ । ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି ଶରଣ କହିଛନ୍ତି।
ସେ କହିଛନ୍ତି, ଅମିତ ଶାହ କିଂବା ଅନୁରାଗ ଠାକୁର, ମୁଁ କାହାକୁ ଭେଟିନାହିଁ। ମୋ ବିରୋଧରେ ଆଗତ ଯୌନଉତ୍ପୀଡ଼ନ ଅଭିଯୋଗ ପ୍ରମାଣିତ ହେଲେ ମୁଁ ଫାଶୀ ଦେଇ ମରିବି। ‘ଅପରାଧୀ’ କଳଙ୍କ ନେଇ ମୁଁ ‘ଡବ୍ଲୁଆଇ’ ଅଧ୍ୟକ୍ଷ ପଦ ତ୍ୟାଗ କରିବାକୁ ଚାହୁଁନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ମୁଁ ବିଦେଶ ପଳାଇଯାଇ ପାରେ ବୋଲି କେତେକ ମିଡିଆ ଚାନେଲ୍ ଖବର ପ୍ରସାରଣ କରୁଛନ୍ତି। ମୁଁ ବିଦେଶ ଯାଇନାହିଁ। ଜାନୁଆରି ୨୩ ତାରିଖ ପର୍ଯ୍ୟନ୍ତ ମୁଁ ନନ୍ଦିନୀନଗରରେ ରହିବି। ମୁଁ ଜଣେ ନିର୍ବାଚିତ ଅଧିକାରୀ। କାହାରି ଦୟାରେ ପଦବୀ ହାସଲ କରିନାହିଁ। ସେଥିପାଇଁ ଇସ୍ତଫା ଦେବାର କଥା ଉଠୁନାହିଁ ବୋଲି ସେ କହିଛନ୍ତି।
Powered by Froala Editor