ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ନେପାଳ ସରକାର

କାଠମାଣ୍ଡୁ: ନେପାଳର ବିମାନ ଦୁର୍ଘଟଣାକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ଏଥିପାଇଁ ଆଜି ନେପାଳ ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏପଟେ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି । ନେପାଳ ପୋଖରାରେ ୟେତି ଏୟାର୍ଲାଇନ୍ସ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି, ଏବେ ବି ୪ ଜଣ ନିଖୋଜ ଅଛନ୍ତି ।
ଏହି ବିମାନରେ ୫ ଭାରତୀୟଙ୍କ ସମେତ ୬୮ ଯାତ୍ରୀ ଓ ୪ କ୍ରୁ ମେମ୍ବର ଥିଲେ । ବିମାନର ପ୍ରାୟ ସବୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ, ୫ ଭାରତୀୟଙ୍କ ପରିଚୟ ମିଳିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ବି, କୁହାଯାଉଛି ଯେ ବିମାନଟି ପୋଖରା ଏୟାରପୋର୍ଟରେ ଲାଣ୍ଡିଂର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ଖସିପଡ଼ି ଜଳିଯାଇଥିଲା ।
ବିମାନ କ୍ରାସ୍ର ଯାଂଚ କରୁଥିବା ଟିମ୍ର ଜଣେ ସଦସ୍ୟଙ୍କ କହିବା ମୁତାବକ, ଭିଡିଓ କ୍ଲିପ୍ ଅନୁଯାୟୀ ବିମାନର ଉପର ଅଂଶ ଟିକିଏ ଉପରକୁ ଉଠିଥିଲା ଏବଂ ତା’ ପରେ ଏହାର ଡେଣା ବାମ ଆଡ଼କୁ ଅଳ୍ପଳେଇ ରହିଥିଲା । ଏହା ଗୋଟିଏ କାରଣ ହୋଇପାରେ । ତଦନ୍ତ ଶେଷ ହେବା ପରେ ହିଁ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।
Powered by Froala Editor