ପ୍ରସିଦ୍ଧ ଷଣ୍ଢ-କାବୁ କ୍ରୀଡ଼ା ଜାଲିକାଟ୍ଟୁ ଆରମ୍ଭ
ମଦୁରାଇ: ଆଜି ତାମିଲନାଡୁର ମଦୁରାଇ ଜିଲ୍ଲା ଅନ୍ତର୍ଗତ ଅବନିୟାପୁରମ୍ ଗାଁରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଷଣ୍ଢ-କାବୁ କ୍ରୀଡ଼ା ଜାଲିକାଟ୍ଟୁ। ମଦୁରାଇ ଜିଲ୍ଲାପାଳ ଅନୀଶ ଶେଖର କହିଛନ୍ତି, ଜାଲିକାଟ୍ଟୁର ଅବାଧ ପରିଚାଳନା ନିମନ୍ତେ ଆମେ ସମସ୍ତ ବ୍ୟବସ୍ଥା କରିଛୁ। ଷଣ୍ଢ ଓ ଖେଳାଳିମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇ ୩ ସ୍ତରୀୟ ବାରିକେଡ୍ ବସାଯାଇଛି। ଫଳରେ କ୍ରୀଡ଼ାଭୂମିରୁ ଷଣ୍ଢ ବାହାରି ଦର୍ଶକମାନେ ଠିଆ ହୋଇଥିବା ସ୍ଥାନକୁ ଆସପାରିବ ନାହିଁ।
ସୁପ୍ରିମ୍ କୋର୍ଟ ଏବଂ ତାମିଲନାଡୁ ସରକାରଙ୍କ ନୀତିନିୟମ ଅନୁସାରେ ଜାଲିକାଟ୍ଟୁ ଆୟୋଜନ କରାଯାଇଛି। ଅଦାଲତଙ୍କ ଆଦେଶ ଅନୁସାରେ, ଅବନିୟାପୁରମ୍ରେ ଥରକେ ପ୍ରାୟ ୨୫ଜଣ ଖେଳାଳି ଅଂଶ ଗ୍ରହଣ କରିପାରିବେ। ଏଠାରେ ୮୦୦ରୁ ଅଧିକ ଖେଳାଳି ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି।
ଜାଲିକାଟ୍ଟୁ କାର୍ୟ୍ୟକ୍ରମ ସଂକ୍ରାନ୍ତରେ ନିକଟ ଅତୀତରେ ବିଜ୍ଞପ୍ତି ମାଧ୍ୟମରେ ତାମିଲନାଡୁ ସରକାର ସବିଶେଷ ଗାଇଡ୍ଲାଇନ୍ ଜାରି କରିଛନ୍ତି।
କିନ୍ତୁ, ଶନିବାର ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଜାଲିକାଟ୍ଟୁରେ ଭାଗ ନେଇଥିବା ଖେଳାଳିମାନଙ୍କ ମଧ୍ୟରୁ ଅନ୍ୟୂନ ୧୫ଜଣ ଆହତ ହୋଇଥିଲେ। ମକର ସଂକ୍ରାନ୍ତି ପାଳନ ଅବସରରେ ସେଠାରେ ଜାଲିକାଟ୍ଟୁ କ୍ରୀଡ଼ା ଆୟୋଜନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଜାନୁଆରି ମଧ୍ୟଭାଗରେ ଫସଲ ଅମଳ ଉତ୍ସବ ପୋଙ୍ଗଲ ପାଳନ ସମୟରେ ଜନପ୍ରିୟ କ୍ରୀଡ଼ା ଜାଲିକାଟ୍ଟୁ ଖେଳାଯାଏ। ଏଥିରେ ଷଣ୍ଢର ହାକୁଡ଼କୁ ଧରି କେଉଁ ଖେଳାଳି କେତେ ସମୟ ରହିପାରିଛି, ତାହା ବିଚାର କରି ବିଜେତା ଘୋଷଣା କରାଯାଏ।
Powered by Froala Editor