ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ

ପୁରୀ: ଗୁରୁବାର ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମକରସଂକ୍ରାନ୍ତି ପ୍ରସ୍ତୁତି । ଏହି ଅବସରରେ ମହାପ୍ରଭୁଙ୍କ ଦୁଧ ମେଲାଣ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରୁ ଶ୍ରୀରାମକୃଷ୍ଣ ପଟୁଆରରେ ଯାଇ ଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖ ବଡ଼ଦାଣ୍ଡରେ ବିଜେ ହୋଇଥିଲେ । ମହାପ୍ରଭୁଙ୍କ ମହାଭୋଇ ସେବକ ଗାଈ ଠାରୁ ଦୁଗ୍ଧ ସଂଗ୍ରହ କଲାପରେ ମହାପ୍ରଭୁଙ୍କୁ ମଣୋହି କରାଯାଇଥିଲା । ବଳକା ଦୁଗ୍ଧ ନେଇ ମହାଭୋଇ ସେବକ ଶ୍ରୀମନ୍ଦିରରେ ପହଞ୍ଚିଥିଲେ । ଶୁକ୍ରବାର ବଡ଼ଦେଉଳରେ ଠାକୁରଙ୍କ ନବାଙ୍କ ବେଶ ଓ ନବାଙ୍କ ବେଢା ନୀତି ଅନୁଷ୍ଠିତ ହେବ ।
ଗୁରୁବାର ଅପରାହ୍ନ ୪ଟା୧୫ ମିନିଟ୍ରେ ମହାପ୍ରଭୁଙ୍କ ୨ୟ ଭୋଗମଣ୍ଡପ ଉଠିଥିଲା । ଏହାପରେ ଠାକୁରଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ୫ଟାରେ ଶ୍ରୀରାମକୃଷ୍ଣ ଭିତରକୁ ବିଜେ ହୋଇଥିଲେ । ଆଜ୍ଞାମାଳ ଦିଆଯିବା ପରେ ଠାକୁରେ ପାଲିଙ୍କିରେ ବିଜେ ହୋଇଥିଲେ । ସେବକମାନଙ୍କ ଗହଣରେ ଠାକୁରେ ବଡ଼ଦାଣ୍ଡ ସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖରେ ବିରାଜିଥିଲେ । ପାଳିଆ ସେବକଙ୍କ ଗହଣରେ ଠାକୁରେ ସେଠାରେ ବିଜେ ହୋଇଥିଲେ । ଗାଈ ଅଣାଯାଇ ବନ୍ଧାଯିବା ପରେ ମହାଭୋଇ ସେବକ ଦୁଗ୍ଧ ସଂଗ୍ରହ କରିଥିଲେ । ପାଳିଆ ଲେଙ୍କା ସେବକଙ୍କ ହାତକୁ ମହାଭୋଇ ସଂଗୃହୀତ ଦୁଗ୍ଧ ଦେଇଥିଲେ । ସେଥିରୁ ଅଧା ରଖାଯାଇଥିଲା ଅଧିବାସ ପାଇଁ । ଏହା ମକର ସଂକ୍ରାନ୍ତିରେ ଠାକୁରଙ୍କ ପୂଜାରେ ଲାଗିବ । ଆଉ ଅଧା କଞ୍ଚା ଦୁଗ୍ଧରେ କର୍ପୂର ମିଶାଇ ଅମୁଣିଆ ଭୋଗକୁ ଭିତରଛ ମହାପାତ୍ରଙ୍କୁ ବଢ଼ାଇବା ପରେ ପାଳିଆ ସେବକଙ୍କ ଦ୍ୱାରା ସଂସ୍କାର କରାଯାଇ ଠାକୁରଙ୍କୁ ଭୋଗ ଲଗାଯାଇଥିଲା । ଠାକୁରଙ୍କ ବନ୍ଦାପନା ନୀତି କରାଯାଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶୁକ୍ରବାର ନବାଙ୍କ ବେଢ଼ାରେ ଚାଉଳ ମେଲାଣ ନୀତି ଅନୁଷ୍ଠିତ ହେବ ।
Powered by Froala Editor