୧୭ଦିନ ଜମିବ ଶିଶିର ସରସ ମେଳା
ଭୁବନେଶ୍ୱର: ହକି ବିଶ୍ୱକପ ସମୟରେ ରାଜଧାନୀବାସୀଙ୍କୁ ପାଇଁ ମନୋରଞ୍ଜନର ଆଉ ଏକ ସୁଯୋଗ ଆଣି ଦେଉଛି ଶିଶିର ସରସ ମେଳା-୨୦୨୩ । ଆସନ୍ତା ଜାନୁଆରୀ ୧୩ରୁ ୨୯ ତାରିଖ ପର୍ୟ୍ୟନ୍ତ ୧୭ଦିନ ଧରି ଜମିବ ଆସର । ମେଳା ପଡ଼ିଆରେ ବଡ଼ ପରଦାରେ ହକି ବିଶ୍ୱକପ ମୁକାବିଲା ଦେଖିବା ସହ ମେଳା ବୁଲିବାର ମଜା ନେବେ ଦର୍ଶକ । କିନ୍ତୁ ଏଥର ମେଳା ସମ୍ପୂର୍ଣ୍ଣ ନୂଆ ରୂପରେ ଆଉ ନୂଆ ସ୍ଥାନରେ ଆୟୋଜିତ ହେଉଛି । ଏନେଇ ବୁଧବାର ଦିନ ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏସ୍ଆଇଆର୍ଡି ଆଣ୍ଡ୍ ପିଆର୍ କନ୍ଫରେନ୍ସ ହଲ୍ରେ ମେଳା ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି । ଏଥିରେ ଓରମାସର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଉପସ୍ଥିତ ରହି କହିଥିଲେ, ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ ସମୟରେ ଏହି ଜାତୀୟସ୍ତରୀୟ ମେଳା ହେବ । ଏହାକୁ ଅଧିକ ଆକର୍ଷଣୀୟ ଏବଂ ଚିତ୍ତାକର୍ଷକ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ।
ଚଳିତ ବର୍ଷ ଭୁବନେଶ୍ୱରରେ ମେଳା ପ୍ରଦର୍ଶନୀ ପଡ଼ିଆ ବଦଳରେ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆ ଆୟୋଜିତ ହେବ । ମୋଟ୍ ୩୫୦ଟି ଷ୍ଟଲ୍ ସହିତ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏସ୍ଏଚ୍ଜିମାନଙ୍କର ହାତ ତିଆରି ସାମଗ୍ରୀ ଏବଂ ୨୬ଟି ରାଜ୍ୟର ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ତଥା ମସଲା ସାମଗ୍ରୀ ବିକ୍ରି ହେବ । ପ୍ରତି ସନ୍ଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯିବା ପାଇଁ ଯୋଜନା ରହିଛି । ସେହିପରି ସ୍ୱତନ୍ତ୍ର ଫୁଡ୍କୋର୍ଟ ସହ, ସେଲ୍ଫି ପଏଣ୍ଟ, ଓପନ୍ କୁଇଜ୍, ଛାତ୍ରଛାତ୍ରୀମାନଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ୟ୍ୟକ୍ରମ ଆୟୋଜନ କରାଯିବ ।
Powered by Froala Editor