ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ: ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ, ତାକୁ ନେଇ ଭୟ କରିବାର ନାହିଁ । ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି । ତେଣୁ ବିଶେଷଜ୍ଞମାନଙ୍କ ପରାମର୍ଶରେ ରାଜ୍ୟ ସରକାର କୌଣସି ପ୍ରକାରର କଟକଣା ଜାରି କରିବେ ନାହିଁ । କେବଳ ଜନଗହଳିପୂର୍ଣ୍ଣ ଅଂଚଳକୁ ଯିବାବେଳେ ଲୋକେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ, ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ୧୩୧ଜଣଙ୍କ କୋଭିଡ୍ ପରୀକ୍ଷା ହେଉଥିବାବେଳେ ଦୈନିକ ପ୍ରାୟ ୬-୭ହଜାର ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରୁ ମାତ୍ର ୫-୬ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୌଣସି ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉନି । ସେହିଭଳି ଦେଶରେ ବି ସର୍ବାଧିକ ୧୦୦ ଭିତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଓଡ଼ିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୦.୦୪% ହୋଇଥିବାବେଳେ ସମଗ୍ର ଦେଶରେ ଏହା ୦.୩% ଅଛି । ତେଣୁ ଗତ ୪ସପ୍ତାହର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ସରକାର ରାଜ୍ୟରେ କୋଭିଡ୍ ସଂକ୍ରାନ୍ତ କୌଣସି କଟକଣା ବା ନିୟମ ଲାଗୁ କରିବାକୁ ଚାହୁଁନାହାନ୍ତି ।
ତେବେ ଏବେ ଯେଉଁ ସବୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସମସ୍ତଙ୍କର ଜିନୋମ ଟେଷ୍ଟିଂ କରାଯାଉଛି । ରାଜ୍ୟର ୩ଟି ସ୍ଥାନରେ ଏହି ଜିନୋମ ଟେଷ୍ଟିଂ ହେଉଛି । ତା’ଛଡ଼ା ରାଜ୍ୟରେ ଏବେ ଦୈନିକ କୋଭିଡ୍ ପରୀକ୍ଷା ଯାହା ହେଉଛି ସେଥିରୁ ୫୦% ଆରଟିପିସିଆର ଟେଷ୍ଟ । ସବୁ ଜିଲ୍ଲାରେ ଏହି ଟେଷ୍ଟ ସୁବିଧା ରହିଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।
Powered by Froala Editor