ନୂଆବର୍ଷ : କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି
ଭୁବନେଶ୍ୱର:ବିଦାୟ ନେବ ୨୦୨୨, ଆସିବ ୨୦୨୩ । ନୂଆବର୍ଷକୁ ସେଲିବ୍ରେସନ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ । ତେବେ ଶୃଙ୍ଖଳିତ ନୂଆବର୍ଷ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ନିୟମରେ କୋହଳ କରାଯାଇଛି । ହୋଟେଲ ନିକଟରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହେବେ । ୨୮ ଜାଗାରେ ଚେକ୍ ପୋଷ୍ଟ କରାଯିବ । ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।
ସଂଧ୍ୟା ୭ଟା ରୁ ରାତି ୨ଟା ପର୍ୟ୍ୟନ୍ତ ଚାଲିବ ଚେକିଂ । ମଦୁଆ ଗାଡି ଚାଳକଙ୍କ ଉପରେ ରହିବ ସ୍ବତନ୍ତ୍ର ନଜର । ୧୭ ଟି ଲୋକେସନରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ନଜର ରଖିବା ପୋଲିସ୍ । ମାଷ୍ଟରକ୍ୟାଣ୍ଟିନ, କଳ୍ପନା ସ୍କୋୟାର, ରସୁଲଗଡ ଛକ, ଖଣ୍ଡଗିରି ସ୍କୋୟାରରେ ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ୍ ମୁତୟନ ରହିବେ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବେ । ସହରରେ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।
ପର୍ୟ୍ୟଟନସ୍ଥଳୀ ଗୁଡିକରେ ଜନଗହଳିକୁ ନଜରରେ ରଖି ୧୦ ସେକ୍ସନ ପୋଲିସ ଫୋର୍ସ ମୁତୟନ ହେବେ । ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ଟ୍ରାଫିକ ଆଡଭାଇଜରି ଜାରି କରାଯିବ । ନୂଆବର୍ଷ ଦିନ ପର୍ୟ୍ୟଟନସ୍ଥଳୀରେ ସ୍ବତନ୍ତ୍ର ଅଫିସର ନଜର ରଖିବେ । ବାହାରେ ଖୋଲାସ୍ଥାନରେ କାର୍ୟ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ ଟା ପର୍ୟ୍ୟନ୍ତ ଏବଂ ଇଣ୍ଡୋରରେ ରାତି ୧୨ଟା ପର୍ୟ୍ୟନ୍ତ ମିଳିବ ଅନୁମତି ।
Powered by Froala Editor