ଆଜି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ୨୦୨୪ ଲଢ଼େଇ ପାଇଁ ନଡ୍ଡା ନେତାଙ୍କୁ ଦେବେ ମନ୍ତ୍ର ଓ କର୍ମୀଙ୍କ ମଧ୍ୟରେ ଯୋଶ୍ ଭରିବେ । ୨୦୧୯ ତୁଳନାରେ ୨୪ ନିର୍ବାଚନରେ ଓଡ଼ିଶାରେ ଭୋଟ୍ ହାର ୫୦ ପ୍ରତିଶତକୁ ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍ ଜିତିବା ଲକ୍ଷ୍ୟରେ ରହିଛି ବିଜେପି। ଉଭୟ ନେତା ଓ କାର୍ୟ୍ୟକର୍ତ୍ତାଙ୍କ କାନରେ ଏହି ମନ୍ତ୍ର ଫୁଙ୍କିବାକୁ ଚାଲିଛି ଅଭିଯାନ। ଏଥିପାଇଁ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେ.ପି. ନଡ୍ଡା।
କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁରରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା।
ଭୁବନେଶ୍ୱରରେ ଜେ.ପି. ନଡ୍ଡା ପହଞ୍ଚିବା ପରେ ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ। ସେଠାରେ ପୂର୍ବାହ୍ନ ୧୧.୩୦ ସମୟରେ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବା ପରେ ଜଳେଶପଟା ଆଶ୍ରମ଼ସ୍ଥିତ ନୂତନ କନ୍ୟାଶ୍ରମର ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଏହା ପରେ ସେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍ ପଡ଼ିଆରେ ଅପରାହ୍ନ ୩ଟାରେ ସାଧାରଣ ସଭାରେ ଯୋଗ ଦେବେ। ପରେ ସେ ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ଯାଇ ଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି। ପରେ ନାଚୁଣୀସ୍ଥିତ କଲେଜରେ ଇନଡୋର ଷ୍ଟାଡିୟମରେ କାର୍ୟ୍ୟକତ୍ତା ସମ୍ମିଳନୀରେ ଯୋଗ ଦେବେ। ଏହା ପରେ ନଡ୍ଡା ସଡକ ପଥରେ ଭୁବନେଶ୍ୱର ଫେରି ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ରହିଛି।
Powered by Froala Editor