ପ୍ରତିଶୋଧର ରାଗ : ଯୁବତୀଙ୍କୁ ସ୍କ୍ରୁ ଡ୍ରାଇଭରରେ ଭୁସି ହତ୍ୟା

କଥା ନ ହେବାରୁ ୨୦ ବର୍ଷୀୟ ଯୁବତୀଙ୍କୁ ସ୍କ୍ରୁ ଡାଇଭର୍ରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ। ଯୁବକ ଜଣଙ୍କ ଯୁବତୀଙ୍କୁ ସ୍କ୍ରୁ ଡାଇଭର୍ରେ ୫୧ଥର ଆକ୍ରମଣ କରି ହତ୍ୟା କରିଛନ୍ତି। ଘଟଣାଟି କୋରବା ଜିଲ୍ଲା ଏସ୍ଇସିଏଲର ପମ୍ପ ହାଉସ କଲୋନୀରେ ଡିସେମ୍ବର ୨୪ରେ ଘଟିଥିଲା।
ଘଟଣା ଦିନ ଯୁବତୀ ଜଣଙ୍କ ତାଙ୍କ ଘରେ ଏକା ଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଲେ। ସେ ଚିତ୍କାର କରିବାରୁ ତାଙ୍କ ମୁହଁକୁ ପ୍ରଥମେ ଗୋଟିଏ ତକିଆରେ ଚାପି ଧରିଥିଲେ। ଏହାପରେ ସ୍କ୍ରୁ ଡାଇଭର ଦ୍ୱାରା ୫୧ ଥର ଆକ୍ରମଣ କରି ହତ୍ୟା କରିଥିଲେ। କିଛି ସମୟ ପରେ ଯୁବତୀଙ୍କ ଭାଇ ଘରକୁ ଆସି ଭଉଣୀକୁ ରକ୍ତାକ୍ତ ଅବସ୍ଥାରେ ଦେଖି ପୁଲିସ୍କୁ ଖବର ଦେଇଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ ୩ ବର୍ଷ ତଳେ ଜଶପୁର ଜିଲ୍ଲାରେ ରହୁଥିବା ଅଭିଯୁକ୍ତ ଓ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ସେ ଯେଉଁ ବସ୍ରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିଲେ ସେଥିରେ ଯୁବତୀ ଯିବା ଆସିବା କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପରିଚୟ ସୃଷ୍ଟି ହୋଇଥିଲା ।
ଏସବୁ ଭିତରେ ଅଭିଯୁକ୍ତ ଜଣଙ୍କ ଅଲଗା କାମ ପାଇଁ ଗୁଜରାଟର ଅହମଦାବାଦ ଚାଲି ଯାଇଥିଲେ। ସେଠାରେ ରହି ଉଭୟ ଫୋନରେ କଥାବାର୍ତ୍ତା ହେଉଥିଲେ। କିନ୍ତୁ କିଛି ଦିନ ହେବ ହଠାତ୍ ଯୁବତୀ ଜଣଙ୍କ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଏଥିରେ ରାଗି ଯାଇ ସେ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି।
Powered by Froala Editor