ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି। ୫-ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।
ଲୋକସେବା ଭବନ କନ୍ଭେନସନ୍ ହଲରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହରଗୁଡ଼ିକ ହେଲା-ଭୁବନେଶ୍ବର, କଟକ, ନିମାପଡ଼ା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ୍, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର। ଏହିସବୁ ସହରଗୁଡ଼ିକର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇଲେ।
ସୂଚନାଯୋଗ୍ୟ ଯେ ପୂର୍ବରୁ ୫-ଟି ଉପକ୍ରମରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସୁବିଧା ମିଳିଥିଲା। ଏବେ ଗୋପାଳପୁରରେ ମଧ୍ୟ ରାଜ୍ୟର ଦ୍ବିତୀୟ ସହର ଭାବରେ ଶତପ୍ରତିଶତ ଲୋକଙ୍କୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ସୁବିଧା ମିଳିଲା। ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ୟ୍ୟକ୍ରମର ଆରମ୍ଭ ଘୋଷଣା କରିଥିଲେ। ଏହାଦ୍ବାରା ଏହି ୩ଟି ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ବପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି। ୧୯ଟି ସହରକୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ସେବାରେ ଯୋଡ଼ି ସେ କହିଥିଲେ ଯେ, ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ୍ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଜଳ ହେଉଛି ଜୀବନ। ଜନସ୍ବାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ବଚ୍ଛ ଜଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ବିଶ୍ବର ବଡ଼ ବଡ଼ ସହରର ବ୍ୟବସ୍ଥା ସହିତ ଆଜି ଓଡ଼ିଶାର ସହରଗୁଡ଼ିକ ମଧ୍ୟ ଯୋଡ଼ି ହୋଇଛି ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ସର ମାନ ଅନୁଯାୟୀ ଉତ୍ତମ ଓ ସ୍ବଚ୍ଛ ଜଳ ମିଳୁଛି। ଏହି ସେବା ପାଇଁ ମୁଖ୍ୟମନ୍ତ୍ରୀ ୱାଟ୍କୋକୁ ଧନ୍ୟବାଦ ଦେଇଥିଲେ।
Powered by Froala Editor