ଫେକ୍ ନ୍ୟୁଜ୍ ପ୍ରଚାର କରୁଥିଲେ ୩ ୟୁଟ୍ୟୁବ ଚ୍ୟାନେଲ, ସବ୍ସ୍କ୍ରାଇବର ସଂଖ୍ୟା ଜାଣିଲେ ହୋସ୍ ଉଡ଼ିଯିବ
ନୂଆଦିଲ୍ଲୀ, ପିଆଇବି ଫ୍ୟାକ୍ଟ ଚେକ ୟୁନିଟ (ଏଫସିୟୁ) ମିଥ୍ୟା ଖବର ପ୍ରସାରଣ କରିଥିବା ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କରିଛି । ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ପାଖାପାଖି ୩୩ ଲକ୍ଷ ସବ୍ସ୍କ୍ରାଇବର ଥିଲେ ଏବଂ ଏଗୁଡ଼ିକର ମିଥ୍ୟା ଖବର ସମ୍ପର୍କିତ ଭିଡ଼ିଓ ଗୁଡିକୁ ୩୦ କୋଟିରୁ ଅଧିକ ଥର ଦେଖାଯାଇଥିଲା । ଚ୍ୟାନେଲ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଉଥିଲା ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।
ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଜାରି ବିବୃତିରେ କୁହାଯାଇଛି ଯେ ପିଆଇବିର ପ୍ୟାକ୍ଟ ଚେକ୍ ୟୁନିଟ ପକ୍ଷରୁ ଏହି ୩ ଚ୍ୟାନେଲ ବିରୋଧରେ ଯାଞ୍ଚ କରାଯାଇଥିଲା। ଏଜେନ୍ସି ପକ୍ଷରୁ ୪୦ଟି ବିଷୟରେ ଫ୍ୟାକ୍ଟ ଚେକ୍ କରାଯାଇଥିଲା। ଏହି ସମୟରେ ଚ୍ୟାନେଲଗୁଡ଼ିକରେ ପ୍ରକାଶ ପାଉଥିବା ବିଷୟବସ୍ତୁ ଗୁଡ଼ିକରେ କୌଣସି ସତ୍ୟତା ନଥିବା ଜଣାପଡ଼ିଛି।
ଫେକ ନ୍ୟୁଜର ପ୍ରଚାର କରୁଥିବା ୩ ୟୁଟ୍ୟୁବ ଚ୍ୟାନେଲ ହେଲେ ନ୍ୟୁଜ ହେଡଲାଇନ୍ସ, ସରକାରୀ ଅପଡେଟ ଓ ଆଜତକ ଲାଇଭକ। ସରକାରୀ ଅପଡେଟର ସବସ୍କ୍ରାଇବରଙ୍କ ସଂଖ୍ୟା ୨.୨୬ ମିଲିୟନ ରହିଥିଲା। ଆଜତକ ଲାଇଭର ସବସ୍କ୍ରାଇବରଙ୍କ ସଂଖ୍ୟା ୬୫ ହଜାର ଓ ନ୍ୟୁଜ ହେଡଲାଇନ୍ସକୁ ୧୦ ଲକ୍ଷ ଲୋକ ସବସ୍କ୍ରାଇବ କରିଥିବା ବେଳେ ୩୨ କୋଟି ଲୋକ ଏହାର ଭିଡିଓକୁ ଦେଖିଛନ୍ତି।
ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ସେମାନଙ୍କ ଖବରଗୁଡ଼ିକୁ ଦର୍ଶକଙ୍କ ଆଖିରେ ସତ୍ୟ ଦର୍ଶାଇବା ଲାଗି ତଥା ସେଗୁଡିକୁ ବିଭ୍ରାନ୍ତ କରିବା ପାଇଁ ଟିଭି ଚ୍ୟାନେଲ ଲୋଗୋ ଏବଂ ସେମାନଙ୍କ ନ୍ୟୁଜ ଆଙ୍କରଙ୍କ ଫଟୋ ଥିବା ମିଥ୍ୟା ତଥା ସମ୍ବେଦନାତ୍ମକ 'ଥମ୍ବନେଲ' ବ୍ୟବହାର କରୁଥିବା ଜଣାପଡ଼ିଥିଲା । ଏହି ଚ୍ୟାନେଲଗୁଡ଼ିକ ସେମାନଙ୍କ ଭିଡିଓରେ ବିଜ୍ଞାପନ ପ୍ରଦର୍ଶନ କରୁଥିଲେ, ଏବଂ ୟୁଟ୍ୟୁବରେ ମିଥ୍ୟା ଖବରରୁ ଅର୍ଥ ଉପାର୍ଜନ କରୁଥିବା ଜଣାପଡ଼ିଥିଲା ।
Powered by Froala Editor