ଧାମନଗର ଓ ପଦ୍ମପୁର ନିର୍ବାଚନ ବିଜେପିକୁ ଶିକ୍ଷା ଦେଇଛି:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ଶେଷ ହୋଇଛି । ହେଲେ ରାଜନେତାଙ୍କ ବୟାନବାଜିରେ ବ୍ରେକ ଲାଗୁନି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟକୁ ନେଇ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ ଆସିବା ପରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଇଛନ୍ତି ବଡ ବୟାନ ।
ଧର୍ମେନ୍ଦ୍ର କହିଛନ୍ତି ‘ବିଜେଡି ପାଖରେ ପଦ୍ମପୂୁର ମଡେଲ ଥିଲେ ଆମ ପାଖରେ ଧାମନଗର ମଡେଲ ଅଛି । ଉଭୟ ଧାମନଗର ଓ ପଦ୍ମପୁର ନିର୍ବାଚନ ବିଜେପିକୁ ଶିକ୍ଷା ଦେଇଛି, ଯାହା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିକୁ ସାହାଯ୍ୟ କରିବ । ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ । ଓଡ଼ିଶାବାସୀ ବିଜେପି ଠାରୁ ଏହା ଆଶା କରୁଛନ୍ତି । ଆଜିର ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନକୁ କିପରି ସୁଦୃଢ କରାଯିବ ସେନେଇ ଆଲୋଚନା ହେବ , ଯାହାକୁ ୨୦୨୪ରେ ଲାଗୁ କରାଯିବ’ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ‘ପଦ୍ମପୁରରେ ନିଜର ବିଜୟ ପରେ ବିଜେଡି କହୁଛି ୨୦୨୪ରେ ପୁରା ରାଜ୍ୟରେ ପଦ୍ମପୁର ଫର୍ମୁଲାକୁ ଲାଗୁ କରିବ । ହେଲେ ସେ ଫର୍ମୁଲା କ’ଣ ବିଜେଡି କାହାକୁ କହୁନି । ପ୍ରକୃତରେ କଂଗ୍ରେସ ସହ ବିଜେଡିର ବଡ ଡିଲ୍ ହୋଇଥିଲା । ଏହି ଡିଲ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ’ ।
ପ୍ରଦୀପ ପୁରୋହିତ ଆହୁରି ମଧ୍ୟ କହିଛନ୍ତି ଯେ, ‘କଂଗ୍ରେସର ପ୍ରାର୍ଥୀ ଚୟନ ପୂର୍ବରୁ କଂଗ୍ରେସ ସହ ୩ଘଣ୍ଟା ଧରି ଆଲୋଚନା କରିଥିଲେ ବିଜେଡି ମନ୍ତ୍ରୀ । କଂଗ୍ରେସକୁ ଢାଲ କରି ତା’ର ଭୋଟକୁ ବିଜେଡି ପଟ କରିବାକୁ ପୁରା ମ୍ୟାପ୍ ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ବିଜେଡି ୧୦୦ କୋଟି ଟଙ୍କାର ବଜେଟ୍ ତିଆରି କରିଥିଲା । କେବଳ ଏତିକି ନୁହେଁ ବିଜେପିର ସମର୍ଥକଙ୍କୁ ପୋଲିସ ମାଧ୍ୟମରେ ଧମକଚମକ ଦେବା ସହ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହାୟତାରେ ବୁଥ୍ କ୍ୟାପଚର କରିଥିଲେ । ଆଉ ନିଜର ପୁରା ପ୍ଲାନରେ ସଫଳ ହେଲା ବିଜେଡି , ପଦ୍ମପୁରରେ ବିଜୟୀ ବି ହେଲା । ଏହା ହେଉଛି ବିଜେଡିର ପଦ୍ମପୁର ଫର୍ମୁଲା, ଯାହା ୨୦୨୪ ନିର୍ବାଚନରେ ଦଳ ପ୍ରୟୋଗ କରିବାକୁ ଚାହୁଁଛି । ଏ ବାବଦରେ ପଦ୍ମପୁର ଲୋକ ଜାଣନ୍ତି । ଆଗକୁ ସମସ୍ତେ ଜାଣିବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ୍ ।
Powered by Froala Editor