୫ଏକର ପାଚିଲା ଧାନ ଜଳି ପୋଡ଼ି ପାଉଁଶ

ଆଳି : ଅମଳ ପୂର୍ବରୁ ପାଚିଲା ଧାନରେ ନିଆଁ ଲାଗି ଜଳି ପୋଡ଼ି ସବୁ ପାଉଁଶ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହୁ ଚତରରେ ଏହି ଅଘଟଣ ଘଟିଛି। ପ୍ରାୟ ୫ଏକର ଜମିରେ ଚାଷ କରାଯାଇଥିବା ଧାନ ଜଳି ପାଉଁଶ ହୋଇଯାଇଛି।
ଗତକାଲି ଗୋପାଳ ସାହୁ ଓ ଗୌତମ ପାଢ଼ୀ ଚାଷ କରିଥିବା ଧାନକ୍ଷେତରେ ନିଆଁ ଲାଗିଯାଇଥିଲା। ଧାନ ବିଲରେ ନିଆଁ ହୁତୁ ହୁତୁ ହୋଇ ଜଳୁଥିବା ଦେଖି ଚାଷୀମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହେଲେ ସବୁ ପାଚିଲା ଧାନପୋଡ଼ି ନଷ୍ଟ ହୋଇଯାଇଥିଲା।
ତେବେ କେହି ଚାଷୀ ଧାନ ଅମଳ ପରେ ନଡ଼ାରେ ନିଆଁ ଲଗାଇ ଦେଇଥିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ଅମଳ ହେବାକୁ ଥିବା ଧାନ ଜଳିଯିବାରୁ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।
Powered by Froala Editor