କୃଷି ବିକାଶରେ ଉଲ୍ଲେଖନୀୟ ଭୂମିକା ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର : କୃଷି ବିକାଶ ଓ କୃଷକ କଲ୍ୟାଣରେ ଉଲ୍ଲେଖନୀୟ ଭୂମିକା ଏବଂ ଅବଦାନ ନିମନ୍ତେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡେ ଗ୍ରୁପ୍ ପକ୍ଷରୁ ତ୍ରୟୋଦଶ ଏଗ୍ରିକଲଚର ଲିଡରସିପ୍ ଆୱାର୍ଡ-୨୦୨୨ରେ ଓଡ଼ିଶାକୁ ଏହି ସମ୍ମାନ ମିଳିଛି । ଜାତୀୟ ସ୍ତରରେ ଗଠିତ ଜୁରି ପ୍ୟାନେଲ୍ କୃଷି ଉତ୍ପାଦନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ସହ କୃଷି କ୍ଷେତ୍ରରେ ନୂତନ ଓ ଜନପ୍ରିୟ ନୀତି ନିର୍ଦ୍ଧାରଣ କରିଥିବାରୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ରୂପେ ବିବେଚିତ କରିଛନ୍ତି । ନୂଆଦିଲ୍ଲୀର ଏରୋସିଟିସ୍ଥିତ ହଲିଡେ ଇନ୍ଠାରେ ଗୁରୁବାର ଆୟୋଜିତ ଉତ୍ସବରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଅଞ୍ଜନା ପଣ୍ଡା ବିଭାଗ ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି। ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ନିଅଣ୍ଟିଆ ରାଜ୍ୟରୁ ଆତ୍ମନିର୍ଭରଶୀଳ ରାଜ୍ୟ ହେବା ସହିତ ବଳକା ଚାଉଳ ରାଜ୍ୟ ବାହାରକୁ ରପ୍ତାନୀ କରୁଛି। ୨୦୨୦- ୨୧ ବର୍ଷରେ ରାଜ୍ୟରେ ରେକର୍ଡ ୧୩୦.୩୯ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିଛି। ୨୦୦୦-୦୧ ବର୍ଷରେ ରାଜ୍ୟରେ ୫୫.୩୫ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବାବେଳେ ବିଗତ ୨୦ ବର୍ଷ ମଧ୍ୟରେ ଉତ୍ପାଦନ ଦୁଇଗୁଣରୁ ଅଧିକ ହୋଇଛି।
Powered by Froala Editor