ଚଳନ୍ତା ଟ୍ରେନ୍ରେ ଯାତ୍ରୀଙ୍କ ବେକରେ ପଶିଗଲା ଲୁହା ରଡ୍
ଅଲିଗଡ଼ ଜିଲ୍ଲାରେ ସୋମନା ରେଲୱେ ଷ୍ଟେସନରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଯାଇଛି। ଦିଲ୍ଲୀର ଆନନ୍ଦ ବିହାରରୁ ଓଡ଼ିଶାର ପୁରୀ ମଧ୍ୟରେ ଚାଲୁଥିବା ନିଳାଞ୍ଚଳ ଏକ୍ସପ୍ରେସ ଟ୍ରେନ୍ରେ ଘଟିଛି ଏହି ଅଘଟଣ।
ଶୁକ୍ରବାର ସକାଳ ପ୍ରାୟ ୯ଟା ୪୫ମିନିଟ୍ରେ ଟ୍ରେନ୍ଟି ଗନ୍ତବ୍ୟ ପଥରେ ଥିବା ବେଳେ ଉତ୍ତରପ୍ରଦେଶର ଅଲିଗଡ଼ରୁ ପ୍ରାୟ ୩୫କିଲୋମିଟର ପୂର୍ବରୁ ଦନଓ୍ବର ସୋମନା ଅଞ୍ଚଳରେ ହଠାତ୍ ଟ୍ରେନ୍ର ଝରକା କାଚ ଭାଙ୍ଗିଯାଇଥିଲା। ନୀଳାଚଳ ଏକ୍ସପ୍ରେସ ଟ୍ରେନ(୧୨୮୭୬)ର ଜେନେରାଲ ବଗିରେ ବସି ଜଣେ ଯାତ୍ରୀ ଯାତ୍ରା କରୁଥିବା ବେଳେ ତାଙ୍କ ଗଳାରେ ଏକ ଲୁହାରଡ଼ ପଶି ଯାଇଥିଲା। ଏହି ଲୁହା ରଡ଼ ତାଙ୍କ ଗଳାର ଗୋଟିଏ ପାର୍ଶ୍ବରେ ପଶି ଆରପାର୍ଶ୍ବରେ ବାହାରି ଯାଇଥିଲା। ଷ୍ଟେସନର ପ୍ଲାଟଫର୍ମ ନମ୍ବର-୩ରେ ଏହି ଭୟାବହ ଦୁର୍ଘଟଣା ଘଟିଥିବା ନଜରକୁ ଆସିଛି। ଦୁର୍ଘଟଣା ସମୟରେ ଟ୍ରେନ୍ର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ଥିଲା ବୋଲି କୁହାଯାଉଛି। ଯେଉଁ କାରଣରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଯାତ୍ରୀଙ୍କ ପରିଚୟ ସୁଲତାନପୁରରେ ରହୁଥିବା ହରିକେଶ କୁମାର ଦୁବେ ବୋଲି ଜଣାପଡ଼ିଛି।
ଆରପିଏଫ ଓ ସିଆରପିଏଫ ସମେତ ରେଲୱେର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଏହାପରେ ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।
ତାଙ୍କ ପରିବାର ସଦସ୍ୟଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି ବୋଲି ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନସିଆର) ର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି।
Powered by Froala Editor