ବୌଦ୍ଧ ଭିକ୍ଷୁଙ୍କ ନିଶାମୁକ୍ତି କେନ୍ଦ୍ର ପଠାଇଲା ପ୍ରଶାସନ
କେନ୍ଦ୍ରୀୟ ଥାଇଲାଣ୍ଡରେ ଏକ ବୌଦ୍ଧ ମନ୍ଦିର ରହିଛି ଯେଉଁଠିକୁ ପ୍ରତିଦିନ ବୌଦ୍ଧ ଧର୍ମାବଲମ୍ୱୀ ଦର୍ଶନ ପାଇଁ ଯାଆନ୍ତି । କିନ୍ତୁ ଆଜି ଏହି ମନ୍ଦିର ବୌଦ୍ଧ ଭିକ୍ଷୁ ଏବଂ ମଠାଧୀଶ ଶୂନ୍ୟ ହୋଇଛି । ମଠାଧୀଶଙ୍କ ସହ ଚାରି ବୌଦ୍ଧ ଭିକ୍ଷୁଙ୍କ ନିଶାଖୋର ଅଭ୍ୟାସ ଯୋଗୁଁ ତାଙ୍କୁ ଏଠାରୁ ବାହାର କରି ଦିଆଯାଇଛି ।
ସୂଚନା ଅନୁସାରେ, ବୁଙ୍ଗ ସାମ ଫାନ ଜିଲ୍ଲାର ଫେଟଚାବୁନଠାରେ ଏହି ମନ୍ଦିରଟି ରହିଛି। ଏଠାରେ ୪ ଜଣ ସାଧୁ ଦୀର୍ଘ ଦିନ ହେଲା ରହି ଆସୁଥିଲେ। ତେବେ ଏମାନେ ନିଶା ଖାଉଥିବା ସନ୍ଦେହରେ ସୋମବାର ସମସ୍ତଙ୍କର ଟେଷ୍ଟ କରାଯାଇଥିଲା। ଏହି ସମୟରେ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ୪ ଜଣ ସାଧୁଙ୍କ ଠାରୁ ଏହି ମାନ୍ୟତା ପ୍ରତ୍ୟାହାର କରି ନେଇଛି। ସେହିପରି ସେମାନଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠା ଯାଇଛି।
ସ୍ଥାନୀୟ ଜଣେ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ରୀୟ ଥାଇଲାଣ୍ଡର ବୌଦ୍ଧ ମନ୍ଦିରର ଭିକ୍ଷୁଙ୍କୁ ବାହାର କରାଯାଇଛି କାରଣ ସମସ୍ତେ ମାଦକ ଦ୍ରବ୍ୟ ଟେଷ୍ଟରେ ଫେଲ୍ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ନିଶାମୁକ୍ତି କେନ୍ଦ୍ରକୁ ପଠାଯାଇଛି । ତେବେ ଏହାପରେ ସ୍ଥାନୀୟ ଗ୍ରାମବାସୀ କିପରି ପୂଜା କରିବେ ଏବଂ ପୂଣ୍ୟ ଅର୍ଜନ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ ରହିଛି ଯେ ମନ୍ଦିରରେ ଥିବା ସାଧୁସନ୍ଥଙ୍କୁ ଖାଇବାକୁ ଦେଲେ ପାପ ଖଣ୍ଡନ ହୋଇଥାଏ। ତେଣୁ ଏବେ ପ୍ରଶାସନ ମନ୍ଦିରକୁ ନୂଆ ସାଧୁସନ୍ଥଙ୍କୁ ପଠାଇବାକୁ ଯୋଜନା କରୁଛି।
Powered by Froala Editor