ଏଭଳି ଖୋଲା ଚ୍ୟାଲେଞ୍ଜ ଦେଲେ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ସମୟ ପାଖଉଛି, ଟେନସନ ବଢୁଛି । ପଦମପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳଙ୍କ ପ୍ରାର୍ଥୀ । ଘରକୁ ଘର ବୁଲି ଭୋଟ ହାତେଇବାକୁ କସରତ କରୁଛନ୍ତି ସବୁ ଦଳ । ବିଭିନ୍ନ ସ୍ଥାନରେ ବିରାଟ ସମାବେଶ କରି ଲୋକଙ୍କ ଜନ ସମର୍ଥନ ବୃଦ୍ଧି କରୁଛନ୍ତି ସବୁ ଦଳ। ତେବେ ଏହାରି ଭିତରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ପାଇକମାଳରେ ଅନୁଷ୍ଠିତ ଏକ ନିର୍ବାଚନ ପ୍ରଚାରରେ ରେଳମନ୍ତ୍ରୀ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କାଲି ଜାଗା ଦେଲେ ପହରଦିନ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଜାଗା ଓଡ଼ିଶା ସରକାରଙ୍କର, ନଦେଲେ ରେଳଲାଇନ କିପରି ହେବ । ମନ୍ତ୍ରୀ ଟୁକୁନି ସାହୁ ନୂଆ ରେଳ ଲାଇନ ନେଇ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର କିଛି କରୁନାହାନ୍ତି ବୋଲି କହୁଛନ୍ତି । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ତାହାକୁ ଦୋହରାଇଛନ୍ତି । କାହିଁକି ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ ସାଂସଦ ମିଛ କହୁଛନ୍ତି । ରାଜ୍ୟ ସରକାର ଜାଗା ଦେଲେ ଓଡ଼ିଶାର ବିକାଶ ହୋଇପାରିବ । ପୂର୍ବରୁ ରାଜ୍ୟକୁ ରେଳ ପ୍ରକଳ୍ପ ବାବଦକୁ ୮ଶହ କୋଟି ଆସୁଥିଲା । ମୋଦୀ ସରକାର ରେଳ ପ୍ରକଳ୍ପ ବ୍ୟୟ ୧୦ ହଜାର କୋଟି କରିଛନ୍ତି । ପ୍ରତି ଗ୍ରାମରେ ଟାୱାର ପାଇଁ ୫ ହଜାର ୬ଶହ କୋଟି ମଞ୍ଜୁର ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।
Powered by Froala Editor