ହ୍ୱାଟସଆପ୍ରେ ସେରମ ଇନଷ୍ଟିଚ୍ୟୁଟ୍ ସିଇଓଙ୍କ ଫଟୋ ଲଗାଇ ଠକିନେଲେ ୧.୦୧ କୋଟି

୭ ଜଣ ଲୋକ ସେରମ ଇନଷ୍ଟିଚ୍ୟୁଟ୍ର ସିଇଓ ଅଦର ପୁନାୱାଲାଙ୍କ ଫଟୋ ହ୍ୱାଟସଆପ୍ରେ ବ୍ୟବହାର କରି ଏକାଧିକ ଆକାଉଣ୍ଟକୁ ୧.୦୧ କୋଟି ଟଙ୍କା ପଠାଇ ଠକେଇ କରିଛନ୍ତି। ଏହି ଘଟଣାରେ ପୁଣେ ପୁଲିସ ୭ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ବି.ଟେକ ଓ ବି.ଏସି ଗ୍ରାଜ୍ୟୁଏଟ। ସେମାନଙ୍କ ଘର ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ। ଗିରଫ ୭ ଜଣଙ୍କ ମଧ୍ୟରୁ ଜଣେ ଗୋଟିଏ ବ୍ୟବସାୟିକ ବ୍ୟାଙ୍କରେ କାମ ମଧ୍ୟ କରୁଥିଲା ।
ବୁନ୍ଦଗାର୍ଡେନ ପୁଲିସ୍ ଷ୍ଟେସନରେ ରୁଜୁ ହୋଇଥିବା ଏଫଆଇଆର ଅନୁଯାୟୀ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଅଭିଯୁକ୍ତମାନେ ଗୋଟିଏ ହ୍ୱାଟସଆପ୍ ଆକାଉଣ୍ଟରେ ପୁନାୱାଲାଙ୍କ ଫଟୋ ବ୍ୟବହାର କରିଥିଲେ। ଏହି ଆକାଉଣ୍ଟ ବ୍ୟବହାର କରି ସେମାନେ ଟିକା ଉତ୍ପାଦନ କମ୍ପାନୀର ନିର୍ଦ୍ଦେଶକ ସତୀଶ ଦେଶପାଣ୍ଡେଙ୍କୁ ଟଙ୍କା ଟ୍ରାନ୍ସଫର ପାଇଁ ମେସେଜ କରିଥିଲେ।
ମେସେଜ ପାଇବା ପରେ ସତୀଶ ଦେଶପାଣ୍ଡେ କମ୍ପାନୀ ଫଣ୍ଡରୁ ୧.୦୧ କୋଟି ଟଙ୍କା ହ୍ୱାଟସଆପ୍ରେ ଥିବା ୮ଟି ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ପୁନାୱାଲାଙ୍କ ଫଟୋ ଥିବାରୁ ସେ ଏହି ମେସେଜ ଅନୁସାରେ କାମ କରିଥିଲେ। ଡେପୁଟି ପୁଲିସ କମିସନର ପୁଲିସ ସ୍ମାର୍ଥନା ପାଟିଲ କହିଛନ୍ତି “ ଏହି ୮ ବ୍ୟାଙ୍କ ଆକାଉଣ୍ଟ ୮ ଜଣଙ୍କର। ସେଥିମଧ୍ୟରୁ ୭ ଜଣଙ୍କୁ ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି। ଅଷ୍ଟମ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଏଥିରେ ଆମେ ୪୦ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛୁ। ଏହି ୮ ଆକାଉଣ୍ଟରୁ ଏହି ସମସ୍ତ ୪୦ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି।” ସବୁ ଆକାଉଣ୍ଟକୁ ସିଜ୍ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍ ଏହି ସବୁ ଆକାଉଣ୍ଟରୁ ମୋଟ ୧୩ ଲକ୍ଷ ଟଙ୍କା ଜବତ ହୋଇଛି।
Powered by Froala Editor